ରାଷ୍ଟ୍ରପତି ନିର୍ବାଚନ: ମମତା ବାନାର୍ଜୀଙ୍କ ଗୋଳିଆ ପାଣି ବିଜେପିକୁ ସୁହାଉଛି

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଆସନ୍ତା ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀଙ୍କ ପ୍ରାର୍ଥୀ ଚୟନ କରିବାରେ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର୍ଯ୍ୟକଳାପ ଭାରତୀୟ ଜନତା ପାର୍ଟି (ବିଜେପି)ପାଇଁ ବେଶ ଶୁଭଙ୍କର ହେବାରେ ଲାଗିଛି । କାରଣ ବିଜେପି ନେତୃତ୍ୱାଧିନ ଏନଡିଏ ସରକାର ବିରୋଧରେ ରାଷ୍ଟ୍ରପତି ପ୍ରାର୍ଥୀ ଚୟନ କରିବାରେ ବିରୋଧୀ ମାନେ ବର୍ତ୍ତମାନ ସୁଦ୍ଧା ସଫଳ ହୋଇନାହାନ୍ତି । ତେବେ ଗତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିକୁ ପରାସ୍ତ କରିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଧିକ ଉତ୍ସାହିତ ହୋଇ ବିରୋଧୀ ଦଳର ନେତାମାନଙ୍କୁ ଏକାଠି କରିବାରେ ଯେପରି ସଫଳ ହୋଇଛନ୍ତି ।

ସେହିପରି ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳ ପକ୍ଷରୁ ପ୍ରାର୍ଥୀ ଚୟନ କରିବାକୁ ମମତା ଅଣ୍ଟା ଭିଡ଼ିଛନ୍ତି । ଅପରପକ୍ଷେ ୨୨ଟି ବିରୋଧୀ ଦଳର ନେତାଙ୍କୁ ଆହ୍ୱାନ କରି ଅନ୍ୟ ବିରୋଧୀ ଦଳକୁ ନଡାକିବା ଫଳରେ ଆୟୋଜିତ ବୈଠକରେ କୌଣସି ନିର୍ଯାସ ବାହାରି ପାରିନାହିଁ । ଫଳରେ ମମତାଙ୍କ ଏହି ବିଫଳ ପ୍ରୟାସ ବିଜେପିକୁ ଅଧିକ ଶକ୍ତିଶାଳୀ କରିବ ବୋଲି ରାଜନୈତିକ ସମୀକ୍ଷକ ମାନେ କହିଛନ୍ତି ।

ଦିଲ୍ଲୀରେ ଆୟୋଜିତ ବିରୋଧୀଙ୍କ ବୈଠକରେ ଯୋଗ ଦେବାକୁ ଓଡିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି)କୁ ମଧ୍ୟ ମମତା ବାନାର୍ଜୀ ନିମନ୍ତ୍ରଣ କରିଥିଲେ । ମାତ୍ର ବିଜେଡି ପକ୍ଷରୁ କୌଣସି ପ୍ରତିନିଧି ଏହି ବୈଠକରେ ସାମିଲ ହୋଇନଥିଲେ । ଏଥିରୁ ବିଜେଡି ବର୍ତ୍ତମାନ ବିଜେପି ସହିତ ସମ୍ପର୍କରେ ରହିଥିବା ସ୍ପଷ୍ଟ ହୋଇଛି । ସେହିରି ତେଲେଙ୍ଗାନରୁ ଟିଆରଏସ ଏବଂ ଦିଲ୍ଲୀର ଆମ ଆଦମୀ ପାର୍ଟି (ଆପ୍‌) ଏବଂ ପଞ୍ଜାବର ଶିରୋମଣୀ ଅକାଳୀ ଦଳର କୌଣସି ପ୍ରତିନିଧି ମଧ୍ୟ ଏହି ବୈଠକରେ ସାମିଲ ହୋଇନଥିବା ଜଣାପଡିଛି ।

ଅପରପକ୍ଷେ, ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମମତାଙ୍କ ଅନୁରୋଧକୁ ଏନସିପି ନେତା ଶରଦ ପାୱାର ମନା କରି ଦେଇଛନ୍ତି । ସେହିରି ବିରୋଧୀ ଦଳ ପକ୍ଷରୁ ଡ.ଫାରୁକ ଅବଦୁଲ୍ଲାଙ୍କ ଏବଂ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୋପାଲ କ୍ରିଷ୍ଣ ଗାନ୍ଧୀଙ୍କ ନାମ ଉପସ୍ଥାପିତ ହୋଇଥିଲା । ମାତ୍ର ଫାରୁକ୍ ଅବଦୁଲ୍ଲାଙ୍କ ନାମକୁ ବିରୋଧୀ ଦଳର ବହୁ ନେତା ନାପସନ୍ଦ କରିଥିଲେ । ପୁଣି ଗୋପାଲ ଗାନ୍ଧୀଙ୍କ ବିଷୟରେ ଚର୍ଚ୍ଚା ହୋଇଥିଲା । ମାତ୍ର ରାଜନୀତିରେ ତାଙ୍କର ନାମ ଏତେ ପରିଚିତ ନଥିବାରୁ ତାଙ୍କୁ ବହୁତ ନେତା ଚାହିଁ ନଥିଲେ । ତେବେ ଉପରୋକ୍ତ ନାମ ସମ୍ପର୍କରେ ଚର୍ଚ୍ଚା ହୋଇଥିଲେ ବି ବିରୋଧୀ ଦଳ କେବଳ ଶରଦ ପାୱାରଙ୍କ ନାମକୁ ବେଶ ସମର୍ଥନ ମିଳୁଥିବା କୁହାଯାଉଛି । ତେଣୁ ତାଙ୍କୁ ମନାଇବା ପାଇଁ ମମତା ପ୍ରାଣପଣେ ଚେଷ୍ଟା କରୁଥିବା କୁହାଯାଉଛି । ସେପଟେ ଯଶୋବନ୍ତ ସିହ୍ନାଙ୍କ ନାମ ମଧ୍ଯ ସାମନାକୁ ଆସିଛି । ଫଳରେ ବିରୋଧୀଙ୍କ ତୁଳନାରେ ବିଜେପିର ପଲ୍ଲା ଭାରି ରହିଥିବା କୁହାଯାଉଛି ।

ଅପରପକ୍ଷେ, ଶାସକ ବିଜେପି ସମସ୍ତଙ୍କୁ ମନାଇବା ପାଇଁ ଏକ ସ୍ମାର୍ଟ ଯୋଜନା ଆପଣାଇଛି । ସବୁ ଦଳର ନେତାଙ୍କ ସହିତ କଥାବାର୍ତ୍ତା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କର ଅତି ପ୍ରିୟ ତଥା ବରିଷ୍ଠ ରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କୁ ଦାୟିତ୍ୱ ଅର୍ପଣ କରିଛନ୍ତି । ପୂର୍ବତନ ରାଷ୍ଟ୍ରତି ଏପିଜେ ଅବଦୁଲ କଲାମଙ୍କ ପରି ଜଣେ ବ୍ୟକ୍ତିବିଶେଷଙ୍କୁ ଚୟନ କରିବା ପାଇଁ ରାଜନାଥ ସିଂହ ଏବେ ପ୍ରୟାସ ଆରମ୍ଭ କରିଛନ୍ତି । ଏନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ୱାଇଏସଆର, କେସିଆର, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ପରି ଅନେକ ନେତାଙ୍କ ସହିତ ରାଜନାଥ କଥା ହୋଇଥିବା ଜଣାପଡିଛି ।

ରାଷ୍ଟ୍ରପତି ପ୍ରାର୍ଥୀ ଚୟନ କରିବାରେ ମଧ୍ୟ ବିଜେପି ଏବେ ହରଡଘଣାରେ ପଡିଛି । ଅନୁସୂଚିତ ଜନଜାତିର ଜଣେ ପ୍ରାର୍ଥୀଙ୍କୁ ଚୟନ କରିବାକୁ ବିଜେପି ଚିନ୍ତା କରୁଛି । ଏନେଇ ଓଡ଼ିଶାର ଦ୍ରୌପଦି ମୁର୍ମୁଙ୍କ ନାମ ଆସିଛି । ଅପରପକ୍ଷେ, ଆରିଫ ମହମ୍ମଦ ଖାନଙ୍କ ନାମ ମଧ୍ୟ ରହିଛି । ଫଳରେ ବିଜେପି ନେତୃତ୍ୱାଧିନ ଏନଡିଏ କାହାକୁ ରାଷ୍ଟ୍ରତି ପ୍ରାର୍ଥୀ କରିବ ସେନେଇ ବିଜେପି ବେଶ ଚିନ୍ତାରେ ରହିଛି । ତେବେ ଦେଖାଯାଉ କେଉଁ ପାଣି କୁଆଡ଼େ ଆଡେ ଯାଉଛି ।