ଛଅ ଅଧିନାୟକଙ୍କ ସହ କାମ କରିବାକୁ ପଡିବ ଭାବିନଥିଲି : ରାହୁଲ ଦ୍ରାବିଡ

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍‌ ଭାବେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳକୁ ପାଖାପାଖି ୮ ମାସ ପୁରିଛି । ବେଙ୍ଗାଲୁରୁରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଉଥିବା ସିରିଜର ପଞ୍ଚମ ତଥା ନିର୍ଣ୍ଣାୟକ ଟି-୨୦ ମ୍ୟାଚ୍ ପୂର୍ବରୁ ଆଲୋଚନା ବେଳେ ଦ୍ରାବିଡ ବଡ ବୟାନ ଦେଇଛନ୍ତି । ସେ ମଜାକିଆ ଢଙ୍ଗରେ କହିଛନ୍ତି, ସେ ଭାବିନଥିଲେ ଯେ, ଆରମ୍ଭରୁ ତାଙ୍କୁ ଛଅ ଅଧିନାୟକଙ୍କ ସହିତ କାମ କରିବାକୁ ପଡିବ ।

ଦ୍ରାବିଡ କହିଛନ୍ତି, ଏହି ଯାତ୍ରା ବହୁତ ଭଲ ରହିଛି । କିଛି ଚ୍ୟାଲେଞ୍ଜିଂ ମଧ୍ୟ ରହିଛି । କାରଣ ପ୍ରଥମ ଆଠ ମାସରେ ଛଅ ଜଣ ଅଧିନାୟକଙ୍କ ସହ କାମ କରିବି ବୋଲି କେବେ ଭାବିନଥିଲି । ମାତ୍ର କରୋନା ସମୟରେ ଏହା ସାଧାରଣ କଥାରେ ପରିଣତ ହୋଇଯାଇଛି । କାରଣ ଆପଣଙ୍କୁ କାମଚାପ ସମୟରେ ପ୍ରତିଟି ଖେଳାଳିଙ୍କ ସହ ଖାପ ଖୁଆଇ ଚଳିବାକୁ ପଡିଥାଏ ।

ସୂଚନାଯୋଗ୍ୟ, ରାହୁଲ ଦ୍ରାବିଡ ଟି-୨୦ ବିଶ୍ବ କପ୍ ପରେ ଭାରତୀୟ ଦଳର ମୁଖ୍ୟ କୋଚ୍ ଦାୟିତ୍ୱ ସମ୍ଭାଳିଥିଲେ ରାହୁଲ ଦ୍ରାବିଡ । ସେବେଠୁ ଏ ପର୍ଯ୍ୟନ୍ତ ସେ ବିରାଟ କୋହଲି, ରୋହିତ ଶର୍ମା, କେଏଲ ରାହୁଲ, ଆଜିଙ୍କ୍ୟ ରାହାଣେ, ଋଷଭ ପନ୍ତ, ଶିଖର ଧାୱନଙ୍କ ଅଧିନାୟକତ୍ୱରେ କୋଚ୍ ପ୍ରଶିକ୍ଷକ ଦାୟିତ୍ୱ ତୁଲାଇଛନ୍ତି ।

ସେ କହିଛନ୍ତି, ଭିନ୍ନ ଭିନ୍ନ ଅଧିନାୟକଙ୍କ ସହ କାମ କରିବା ଆହ୍ବାନପୂର୍ଣ୍ଣ ରହିଥାଏୟ କିନ୍ତୁ ନୂତନ ଅଧିନାୟକ ପ୍ରସ୍ତୁତ କରିବା ପାଇଁ ଏହା ଭଲ ସମୟ । ଏକ ଦଳଗତ ଭାବେ ଲଗାତାର ସୁଧାର କରିବା ଉପରେ ଆମେ ଗୁରୁତ୍ୱ ଦେଉଛୁ । ରାହୁଲ ଦ୍ରାବିଡ ଏଠାରେ ନିଜ କୋଚିଂ କାର୍ଯ୍ୟକାଳର ସବୁଠୁ ବଡ ନିରାଶ ସମୟ ବଖାଣିଛନ୍ତି । ସେ କହିଛନ୍ତି ଦକ୍ଷିଣ ଆଫ୍ରିକା ଗସ୍ତ ନିରାଶପୂର୍ଣ୍ଣ ରହିଥିଲା । ଆମେ ଟେଷ୍ଟରେ ୧-୦ରେ ଅଗ୍ରଣୀ ପରେ ବି ସିରିଜ୍ ଜିତିପାରିନଥିଲୁ । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଦୃଷ୍ଟିରୁ ତାହା ବହୁତ ଗୁରୁତ୍ୱୂର୍ଣ୍ଣ ଥିଲା । କିନ୍ତୁ ଆମର ସୀମିତ ଓଭର କ୍ରିକେଟରେ ବହୁତ ସୁଧାର ଆସିଛି ।