ଆଫଗାନିସ୍ତାନରେ ତୀବ୍ର ଭୂକମ୍ପ, ୧୦୦୦ରୁ ଅଧିକଙ୍କ ମୃତ୍ୟୁ

କାବୁଲ (ସଂକେତ୍ ଟିଭି) : ଆଫଗାନିସ୍ତାନର ପାକଟିକା ପ୍ରଦେଶରେ ଅନୁଭୂତ ହୋଇଥିବା ଭୂକମ୍ପରେ ୧୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଏଥିରେ ୧୬୦୦ରୁ ଅଧିକ ଆହତ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ମାଟିତଳେ ବହୁ ଲୋକ ଦବି ହୋଇ ରହିଥିବା ଆଶଙ୍କା କରାଯାଉଛି। ଫଳରେ ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ଭୂମିକମ୍ପ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିଲେ ମଧ୍ୟ ଏହି ଅଞ୍ଚଳ ଦୁର୍ଗମ ହୋଇଥିବାରୁ ସେଠାରେ ଉଦ୍ଧାରକାରୀ ଦଳ ପହଞ୍ଚିବାରେ ବିଳମ୍ବ ହେଉଛି ।

ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୬.୧ ରେକର୍ଡ କରାଯାଇଛି । ୟୁଏସ ଜିଓଲୋଜିକାଲ ସର୍ବେ ମୁତାବିକ୍ ଆଫଗାନିସ୍ତାନର ଦକ୍ଷିଣପୂର୍ବ ଭୂକମ୍ପର କେନ୍ଦ୍ରସ୍ଥଳ । ରାତିରେ ଶୋଇଥିବା ଅବସ୍ଥାରେ ଭୂକମ୍ପ ହେବାରୁ ବହୁ ଲୋକେ ନିଦରେ ଥିବାରୁ ଘରୁ ବାହାରକୁ ଆସି ପାରିନଥିଲେ। ଲୋକେ ନିଦରୁ ଉଠି ବାହାରକୁ ଦୌଡ଼ି ପଳାଇ ଆସିଥିଲେ। ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ଭଙ୍ଗା ଘରର ଧ୍ୱଂସାବଶେଷ ତଳୁ ଜୀବନର ସନ୍ଧାନ ଜାରି ରହିଛି।