ମୁମ୍ବାଇରେ ପ୍ରତିଦିନ ହୃଦଘାତ ନେଉଛି ଶହେ ଜୀବନ
ମୁମ୍ବାଇ(ସଂକେତ୍ ଟିଭି) : ମୁମ୍ବାଇରେ ପ୍ରତିଦିନ ହୃଦଘାତ ନେଉଛି ଶହେ ଜୀବନ । କରୋନାଠୁ ଏହି ରୋଗ ବେଶୀ ଘାତକ ହୋଇଛି । ଏକ ଆରଟିଆଇ ତଥ୍ୟ ଉପରେ ଏହି ରିପୋର୍ଟ ପ୍ରକାଶ ପାଇଛି । ଗତବର୍ଷ ମୁମ୍ବାଇରେ କରୋନାଜନିତ ମୃତ୍ୟୁ ଠାରୁ ଅଧିକ ମୃତ୍ୟୁ ହୃଦଘାତରେ ହୋଇଛି । ୨୦୨୧ ମସିହା ଜାନୁଆରୀ ଠାରୁ ଜୁନ ମଧ୍ୟରେ ଏଠାରେ କରୋନାରେ ୧୦ ହଜାର ୨୮୯ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା । ଯେତେବେଳେ କି ଏହି ବର୍ଷ ଏଠାରେ ହୃଦଘାତରେ ପ୍ରାୟ ୧୮ ହଜାର ଲୋକଙ୍କ ମୃତ୍ୟୁ ହୋଇଯାଇଛି । ଦେଶର ଆର୍ଥିକ ରାଜଧାନୀରେ ଏଭଳି ପରିସ୍ଥିତି ଏବେ ସାଧାରଣରେ ଭୟର ସଂଚାର ସୃଷ୍ଟି କରିଛି ।
ରିପୋର୍ଟ ମୁତାବକ, ହୃଦଘାତରେ ୨୦୧୮ ମସିହାରେ ୮ ହଜାର ୬୦୧ ଜଣ, ୨୦୧୯ ମସିହାରେ ୫ ହଜାର ୮୪୯ ଜଣ, ୨୦୨୦ରେ ୫ ହଜାର ୬୩୩ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା । ଯେତେବେଳେ କି ଗତବର୍ଷ ଅର୍ଥାତ୍ ୨୦୨୧ ମସିହାରେ ହୃଦଘାତରେ ମୃତ୍ୟୁ ସଂଖ୍ୟା ୩ଗୁଣା ବୃଦ୍ଧି ପାଇଛି । ଯେତେବେଳେ କି ଗତବର୍ଷ ଜାନୁଆରୀ ଠାରୁ ଜୁନ୍ ପର୍ଯ୍ୟନ୍ତ ୬ମାସ ଭିତରେ ହୃଦଘାତରେ ୧୭ ହଜାର ୮୮୦ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଆର୍ଥାତ୍ ପ୍ରତିଦିନ ମୁମ୍ବାଇରେ ପାଖାପାଖି ୧୦୦ ଜଣଙ୍କ ମୃତ୍ୟୁ ହୃଦଘାତରେ ହେଉଛି ।
ଆରଟିଆଇ ତଥ୍ୟ ମୁତାବକ କରୋନା ମହାମାରୀ ଆସିବା ପୂର୍ବରୁ ଏଠାରେ କ୍ୟାନ୍ସରରେ ସବୁଠାରୁ ଅଧିକ ଲୋକଙ୍କ ମୃତ୍ୟୁ ହେଉଥିଲା । କ୍ୟାନ୍ସର ଯୋଗୁ ଏଠାରେ ୨୦୧୮ରେ ୧୦ ହଜାର ୭୩ ଜଣ, ୨୦୧୯ରେ ୯ ହଜାର ୯୫୮ ଜଣ, ୨୦୨୦ରେ ୮ ହଜାର ୫୭୬ ଜଣଙ୍କ ମୃତ୍ୟୁ ହୋଇଛି । ୨୦୨୧ରେ ପ୍ରାୟ ୬ ହଜାର ୮୬୧ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ବିଶେଷଜ୍ଞ ଡାକ୍ତତରଙ୍କ କହିବା କଥା, ହୃଦଘାତ ବୃଦ୍ଧି ପାଇବାର ୩ଟି ପ୍ରମୁଖ କାରଣ ରହିଛି । କରୋନା ଠିକ୍ ହେବା ପରେ ହୃଦରୋଗୀଙ୍କୁ ଥ୍ରୋମ୍ୱୋସିସ୍ ହେବା, ମହାମାରୀ କାରଣ ଯୋଗୁ ହୃଦରୋଗୀଙ୍କ ଚିକିତ୍ସାରେ ବିଳମ୍ୱ ହେବା କିମ୍ବା ମୃତ୍ୟୁ ସଂଖ୍ୟା ଡାଟାକୁ ଠିକ୍ ଭାବେ ଅନୁଧ୍ୟାନ କରା ନ ଯିବା ଏହାର କାରଣ ହୋଇଥାଇପାରେ ।
କେବଳ ମୁମ୍ବାଇରେ ନୁହେଁ ବଂର ସମଗ୍ର ବିଶ୍ୱରେ ଏହି ମହାମାରୀ ସମୟରେ ହୃଦଘାତ ଜନିତ ମୃତ୍ୟୁ ସଂଖ୍ୟା ବଢ଼ିଛି ବୋଲି ବିଶେଷଜ୍ଞ ଡାକ୍ତର ଯୁକ୍ତି ବାଢ଼ିଛନ୍ତି । ସେହିପରି କରୋନା ପରେ ହୃଦୟରେ ବଢ଼ୁଥିବା ସଂକ୍ରମଣ ମୃତ୍ୟୁସଂଖ୍ୟା ବୃଦ୍ଧିର କାରଣ ବୋଲି ମଧ୍ୟ କୁହାଯାଉଛି ।