ପେଟ୍ରୋଲ୍ ପମ୍ପରେ ଚା ବାଞ୍ଚୁଛନ୍ତି ରୋଶନ ମହାନାମା

କଲୋମ୍ବୋ(ସଂକେତ୍ ଟିଭି) : ଭାରତର ପଡୋଶୀ ଦେଶ ଶ୍ରୀଲଙ୍କା ଆଜିକାଲି ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛି । ୧୯୪୮ରେ ସ୍ୱାଧୀନତା ହାସଲ କରିବା ପରଠାରୁ ଶ୍ରୀଲଙ୍କା ସବୁଠାରୁ ଖରାପ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଏହି ସମସ୍ତ ସଙ୍କଟ ମଧ୍ୟରେ, ୧୯୯୬ ରେ ବିଶ୍ୱକପ ଜିତିଥିବା ଶ୍ରୀଲଙ୍କା ଦଳର ଜଣେ ଖେଳାଳିଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଟୋରେ ସେମାନେ ଚା ବଞ୍ଚନ କରୁଛନ୍ତି ।

ଶ୍ରୀଲଙ୍କାରେ କିଛି ଦିନ ହେବ ଖାଦ୍ୟ, ଔଷଧ ଏବଂ ଇନ୍ଧନ ଭଳି ଜରୁରୀ ଜିନିଷର ଘୋର ଅଭାବ ଦେଖାଦେଇଛି । ଲୋକମାନେ ପେଟ୍ରୋଲ ଏବଂ ଡିଜେଲ ପାଇଁ ପେଟ୍ରୋଲ ପମ୍ପରେ ଲମ୍ବା ଧାଡିରେ ଘଞ୍ଚା ଘଞ୍ଚା ଅପେକ୍ଷା କରୁଛନ୍ତି । ଶ୍ରୀଲଙ୍କାର ଦଳର ପୂର୍ବତନ କ୍ରିକେଟର ରୋଶନ ମହାନାମା କଲମ୍ବୋରେ ଥିବା ପେଟ୍ରୋଲ ପମ୍ପରେ ଧାଡିରେ ଛିଡା ହୋଇଥିବା ଲୋକଙ୍କୁ ଚା ଏବଂ ପାଉଁରୁଟି ବଞ୍ଚନ କରୁଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଏହାର ଫଟୋଗୁଡ଼ିକ ଭାଇରାଲ ହେବାରେ ଲାଗିଛି ।

୧୯୯୬ରେ ବିଶ୍ୱକପ ଜିତିଥିବା ଶ୍ରୀଲଙ୍କା ଦଳର ସଦସ୍ୟ ଥିବା ରୋଶନ ମହାନାମା ସୋସିଆଲ ମିଡିଆରେ କିଛି ଫଟୋ ପୋଷ୍ଟ କରିଛନ୍ତିୟ ସେ କ୍ୟାପସନରେ ଲେଖିଛନ୍ତି, ଆମେ କମ୍ୟୁନିଟି ମିଲ ଶେୟାର୍ ଟିମ ସହିତ ଆଜି ସାରେ ୱାର୍ଡ ପ୍ଲେସ ଏବଂ ପେଟ୍ରୋଲ ପମ୍ପ ବାହାରେ ଲାଇନରେ ଛିଡା ହୋଇଥିବା ଲୋକଙ୍କୁ ଚା ଏବଂ ପାଉଁରୁଟି ବାଞ୍ଚିଲୁ ।

ରୋଶନ ମହାନାମା ୩୧ ମେ ୧୯୬୬ରେ କଲମ୍ବୋରେ ଜନ୍ମଗ୍ରହଣ କରିଥିଲେ । ରୋଶନ ମହାନାମା ଶ୍ରୀଲଙ୍କା ପାଇଁ ୫୨ଟି ଟେଷ୍ଟ ଏବଂ ୨୧୩ଟି ଦିନିକିଆ ଖେଳିଛନ୍ତି । ସେ ୪ଟି ଶତକ ଏବଂ ୩୫ ଅର୍ଦ୍ଧଶତକ ସହାୟତାରେ ସେ ଦିନିକିଆ ୫୧୬୨ ରନ ସଂଗ୍ରହ କରିଥିବାବେଳେ ଟେଷ୍ଟରେ ତାଙ୍କ ନାମରେ ୨୫୭୬ ରନ ରହିଛି । ସେ ୧୯୯୬ ବିଶ୍ୱକପ ବିଜେତା ଦଳର ଅଂଶ ଥିଲେ ଏବଂ ୧୯୯୯ ବିଶ୍ୱକପ ପରେ କ୍ରିକେଟରୁ ଅବସର ନେଇଥିଲେ ।