ଭବିଷ୍ୟତରେ ଦଳକୁ ଫେରିବା ସମ୍ଭାବନା କମ୍ : ରିଦ୍ଦିମାନ ଶାହା

କୋଲକାତା (ସଂକେତ୍ ଟିଭି) : ଟିମ୍ ଇଣ୍ଡିଆର ୱିକେଟ କିପର ବ୍ୟାଟର୍ ରିଦ୍ଧିମାନ ଶାହା ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ଯାଉଥିବା ପରିଲକ୍ଷିତ ହେଉଛି । ୨୦୨୧ ଡିସେମ୍ବର ପରଠାରୁ ଗୋଟିଏ ହେଲେ ଟେଷ୍ଟ କିମ୍ବା ଦିନିକିଆ ମ୍ୟାଚ୍ ଖେଳିନାହାନ୍ତି ରିଦ୍ଧିମାନ ଶାହା । ଯାହାକୁ ନେଇ ଖୋଲାଖୋଲି ଭାବେ ନିଜ ଅସନ୍ତୋଷ ଜାହିର କରିଛନ୍ତି ।

ରିଦ୍ଧିମାନ କହିଛନ୍ତି,’ମୋତେ ଆଉ ଲାଗୁନାହିଁ ଯେ ଆଗାମୀ ଦିନରେ ଦଳରେ ଆଉ ସ୍ଥାନ ମିଳିବ । ଯଦି ସାମିଲ କରିବାର ଥିଲା ତେବେ ଆଇପିଏଲ ପରେ ପରେ ମୋତେ ଦଳରେ ସୁଯୋଗ ଦିଆଯାଇଥାନ୍ତା । କିନ୍ତୁ ତାହା ହୋଇନଥିଲା ।

ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୨ ସିଜିନରେ ୩ଟି ଅର୍ଦ୍ଧଶତକ ସହିତ ମୋଟ ୩୧୭ ରନ କରିଥିଲେ ରିଦ୍ଧିମାନ ଶାହା । ସେ କହିଛନ୍ତି, ‘ମୋତେ ଆରମ୍ଭରୁ ହିଁ ସ୍ପଷ୍ଟ କରିଦିଆଯାଇଛି ଯେ ମୋ ପାଖରେ ବିକଳ୍ପ ବହୁତ କମ ରହିଛି । କିନ୍ତୁ ମୋ ପାଇଁ ଏହା ଜରୁରୀ ଯେ ମୁଁ ପୁରା ଧ୍ୟାନ କ୍ରିକେଟରେ ଲଗାଏ । ଯେବେ ଯାଏଁ ଖେଳକୁ ମୁଁ ଭଲ ପାଉଥିବି ସେବେ ଯାଏଁ ମୁଁ ଖେଳ ଜାରି ରଖିବି’ ।

ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରିଥିବା ରିଦ୍ଧିମାନ ଶାହାଙ୍କୁ ଦକ୍ଷିଣ ଆଫ୍ରିକା ବିକ୍ଷ ଟ୍ୱେଞ୍ଚି ଟ୍ୱେଞ୍ଚିରେ ସାମିଲ କରାଯାଇନଥିଲା । ମୋଟ ୧୧ ମ୍ୟାଚରୁ ୩ଟି ଅର୍ଦ୍ଧଶତକ ସହ ୩୧୭ରନ କରିଥିଲେ । ଯେଉଁଥିରେ ସର୍ବାଧିକ ସ୍କୋର ଥିଲା ୬୮ରନ । ଶେଷ ଟେଷ୍ଟ ମ୍ୟାଚ୍ ନ୍ୟୁଜିଲାଣ୍ଡ ବିକ୍ଷରେ ଗତ ବର୍ଷ ଡିସେମ୍ବର ମାସରେ ଖେଳିଥିଲେ ରିଦ୍ଧିମାନ । ବର୍ତ୍ତମାନ ସୁଦ୍ଧା ଟିମ ଇଣ୍ଡିଆ ପକ୍ଷରୁ ମୋଟ ୪୦ଟି ଟେଷ୍ଟ ମ୍ୟାଚ ଖେଳି ୧୩୫୩ ରନ କରିଛନ୍ତି ଶାହା । ଯେଉଁଥିରେ ୩ଟି ଶତକ ଏବଂ ୬ଟି ଅର୍ଦ୍ଧଶତକ ରହିଛି ।ଟେଷ୍ଟରେ ରିଦ୍ଧିମାନ ଶାହାଙ୍କ ସର୍ବାଧିକ ସ୍କୋର ହେଉଛି ୧୧୭ ରନ ।