ଅଧିକ ହେଡ୍‌ଫୋନ୍ ବ୍ୟବହାର ବିପଦ , ୨୦୫୦ ସୁଦ୍ଧା ୨୫୦ କୋଟି ଲୋକ ହେବେ ବଧିର

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଫ୍ରାନ୍ସ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହେଲ୍‌ଥ ଆଣ୍ଡ ମେଡିକାଲ ଇନଷ୍ଟିଚ୍ୟୁଟର ଗବେଷଣାରୁ ଫ୍ରାନ୍ସରେ ୪ଜଣ ମଧ୍ୟରୁ ଜଣେ ଶୁଣିବାରେ କଷ୍ଟ ଅନୁଭବ କରୁଥିବା ଜଣାପଡିଛି । ଏମାନେ ଧୀରେ ଧୀରେ ବଧିର ହେବାକୁ ଯାଉଛନ୍ତି । ଏଠାରେ ୨୫% ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି । ପ୍ରଥମଥର ପାଇଁ ଫ୍ରାନ୍ସରେ ବଡ଼ ଧରଣର ଗବେଷଣାରୁ ଏହାର ଖୁଲାସା କରାଯାଇଛି । ଏଥିରେ ୧୮ରୁ ୭୫ ବର୍ଷର ୧,୮୬,୪୬୦ ଲୋକଙ୍କୁ ସାମିଲ କରାଯାଇଥିଲା । ପ୍ରଥମେ କେବଳ ଛୋଟ ପିଲାଙ୍କସ୍ତରରେ ଗବେଷଣା କରାଯାଇଥିଲା ।

ଏହି ଗବେଷଣାରୁ ଜଣାପଡ଼ିଛି, ଲାଇଫ୍‌ଷ୍ଟାଇଲ, ସାମାଜିକ ବାସନ୍ଦ, ଚାପଗ୍ରସ୍ତ, ମଧୁମେହ, ହେଡ଼ଫୋନ ବ୍ୟବହାର ଓ ଜୋର ଶବ୍ଦ ଶୁଣିବା କାରଣରୁ ଶ୍ରବଣ ସମସ୍ୟା ସୃଷ୍ଟି ହେଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ବଶ୍ୱରେ ପ୍ରାୟ ୧୫୦ କୋଟି ଲୋକ କିଛି ନା କିଛି କାରଣରୁ ଶ୍ରବଣ ସମସ୍ୟାର ଶିକାର ହୋଇଛନ୍ତି । ଏହି ସମସ୍ୟା ବଢ଼ି ବଢ଼ି ୨୦୫୦ ସୁଦ୍ଧା ୨୫୦ କୋଟିରେ ପହଞ୍ଚିବା ସମ୍ଭାବନା ରହିଛି । ଫ୍ରାନ୍ସରେ ୩୭% ଲୋକ ଶ୍ରବଣ ଯନ୍ତ୍ର ବ୍ୟବହାର କରୁଛନ୍ତି । ସମସ୍ୟା ବଢ଼ୁଥିବା ଦେଖି ଗତବର୍ଷ ଫ୍ରାନ୍ସ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଶ୍ରବଣ ଯନ୍ତ୍ର ଲୋକଙ୍କୁ ପ୍ରଦାନ କରାଯାଇଛି ।