ମୋଦୀ ଓ ଶାହାଙ୍କୁ ଭେଟିଲେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଜି ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି । ଦ୍ରୌପଦୀ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଯାଇ ସାକ୍ଷାତ କରିଛନ୍ତି । ରାଷ୍ଟ୍ରପତି ନିର୍ବାଚନ ସହ ଅନେକ ଗୁଡିଏ ପ୍ରସଙ୍ଗରେ ହେଲା ଆଲୋଚନା । ତେବେ ଆଲୋଚନା ପରେ ଟ୍ୱିଟ କରି ଏନେଇ ମୋଦୀ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ସେ ଦ୍ରୌପଦୀଙ୍କ ପ୍ରାର୍ଥୀତ୍ୱରେ ଦେଶର ସହମତି ରହିଛି । ବିଶେଷକରି ମୁଁ ତାଙ୍କ ପ୍ରାର୍ଥିତ୍ୱରେ ବେଶ୍ ଖୁସି ।

ସେହିପରି ସେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଭେଟିଛନ୍ତି । ଶାହାଙ୍କୁ ଭେଟି ବିସ୍ତୃତ ଆଲୋଚନା କରିଛନ୍ତି ।

ସୂଚନା ଅନୁସାରେ, ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ପ୍ରଥମ ଥର ପାଇଁ ମୁର୍ମୁଙ୍କ ନାମ ସାମ୍ନାକୁ ଆସିନାହିଁ । ୨୦୧୭ ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଝାଡଖଣ୍ଡର ତତ୍କାଳୀନ ରାଜ୍ୟପାଳଙ୍କ ଅର୍ଥାତ୍ ଦ୍ରୌପଦୀ ମୁର୍ମୁଙ୍କ ନାଁ ସାମ୍ନାକୁ ଆସିଥିଲା । କିନ୍ତୁ ସେହି ସମୟରେ ରାମନାଥ କୋବିନ୍ଦଙ୍କ ନାରେ ମୋହର ବାଜିଥିଲା । ସେ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ।

ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ । ନିଜ ପ୍ରାର୍ଥୀଙ୍କୁ ରାଷ୍ଟ୍ରପତି ଭାବେ ବିଜୟୀ କରିବାକୁ ଆବଶ୍ୟକ ମୋଟ ଭୋଟ୍‌ରୁ ପ୍ରାୟ ୧.୨ ପ୍ରତିଶତ କମ୍‌ ରହିଛି ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ପାଖରେ । ଆଉ ବିଜେଡି ପାଖରେ ଅଛି ୨.୮୮% ଭୋଟ୍‌ ।

ବିଜେଡି ଦ୍ରୌପଦୀ ମୁର୍ମୁଙ୍କୁ ଆଜି ସମର୍ଥନ ଘୋଷଣା କରିଛି । ଓଡ଼ିଶାର ସମସ୍ତ ବିଧାୟକ ଦ୍ରୌପଦୀଙ୍କୁ ଭୋଟ୍‌ ଦେବାକୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି । ନବୀନଙ୍କ ସମର୍ଥନ ଘୋଷଣା ପରେ ଦ୍ରୌପଦୀ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପାଇଁ ପଥ ପରିଷ୍କାର ହୋଇଯାଇଛି ।