ଓଡ଼ିଶା ହାଇକୋର୍ଟରେ ପଡ଼ିଛି ଲକ୍ଷେ ୭୩ ହଜାର ମାମଲା

କଟକ (ସଂକେତ୍ ଟିଭି) : ୨୦୨୧ ସୁଦ୍ଧା ଓଡ଼ିଶା ହାଇକୋର୍ଟରେ ପଡ଼ି ରହିଛି ୧ ଲକ୍ଷ ୭୩ ହଜାର ୫୧୦ ମାମଲା । ଏହା ପରେ ଦାଏର ହୋଇଛି ୧ ଲକ୍ଷ ୨୮ ହଜାର ୯୪୩ଟି ନୂଆ କେସ୍ । ତେବେ ତା’ ଭିତରୁ ୧ ଲକ୍ଷ ୫ ହଜାର ୩୩୪ ମାମଲାର ଫଇସଲା ହୋଇଛି । ୨୦୨୧ ମସିହା ଶେଷ ସୁଦ୍ଧା ୧ ଲକ୍ଷ ୯୭ ହଜାର ୧୧୯ ମାମଲା ଏବେବି ପଡିରହିଛି । ରାଜ୍ୟ ନ୍ୟାୟପାଳିକାର ପ୍ରଦର୍ଶନ ନେଇ ଦେଶରେ ପ୍ରଥମ ଥର ପାଇଁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପକ୍ଷରୁ ବାର୍ଷିକ ରିପୋର୍ଟ ପ୍ରକାଶ କରାଯାଇଛି ।

ବିଚାର ନହୋଇ ଦୀର୍ଘ ଦିନ ଧରି ମାମଲା ପଡ଼ିରହିବା ଓ ଜିଲ୍ଲା ଜଜ୍‌ଙ୍କୁ ଠିକରେ ମାମଲା ବଣ୍ଟନ ନହେବା ଏବଂ କୋର୍ଟଙ୍କ ରହିତାଦେଶ ନିର୍ଦ୍ଦେଶ ଠିକରେ କାର୍ଯ୍ୟକାରୀ କରାନଯିବା ଭଳି ଚିନ୍ତାଜନକ ତଥ୍ୟ ରିପୋର୍ଟରେ ସାମ୍ନାକୁ ଆସିଛି । ୨୦୨୧ ମସିହାର ଏହି ରିପୋର୍ଟରେ କୁହାଯାଇଛି ଯେ, କୋର୍ଟରେ ମାମଲା ବଢିବା ଦ୍ୱାରା ନ୍ୟାୟପାଳିକା ଉପରେ ଲୋକଙ୍କ ଆସ୍ଥା ବଢୁଥିବା ସୂଚାଉଛି । ମାତ୍ର ବହୁ କେସ୍‌ରେ ବିଚାର ହୋଇନପାରିବା ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏଥି ସହିତ ଓଡ଼ିଶା ଆଡମିନିଷ୍ଟ୍ରେଟିଭ୍ ଟ୍ରିବ୍ୟାନାଲ ଉଚ୍ଛେଦ ହେବା ପରେ ଏଠିକାର ପ୍ରାୟ ୪୦ ହଜାର ମାମଲା ହାଇକୋର୍ଟକୁ ସ୍ଥାନାନ୍ତର ହୋଇଛି । ଯାହା କି ହାଇକୋର୍ଟଙ୍କ ଭାର ବଢାଇଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।