ଓଡିଶା କଂଗ୍ରେସ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବନି : ନରସିଂହ ମିଶ୍ର

ଭୁବନେଶ୍ବର (ସଂକେତ୍ ଟିଭି) : ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଓଡ଼ିଶା କଂଗ୍ରେସ ଭୋଟ ଦେବନି କିମ୍ବା ସମର୍ଥନ କରିବନି । ଓଡ଼ିଶା କଂଗ୍ରେସ ଦଳ ବିଧାୟକ ନେତା ନରସିଂହ ମିଶ୍ର ଏକଥା ସ୍ପଷ୍ଟ କରିଛନ୍ତି।

ତେବେ ବ୍ୟକ୍ତି ଯେତେ ଭଲ ହୋଇଥାନ୍ତୁ କିମ୍ବା ଆଚରଣ ବ୍ୟବହାର ତଥା ଉପଲବ୍ଧି ଯାହା ହୋଇଥାଉ ସେ ଯଦି ଆର ଏସ ଏସ କିମ୍ବା ବିଜେପି ଚିନ୍ତା ଧାରାର ଲୋକ ହୋଇଥିଲେ ତାକୁ କଂଗ୍ରେସ କେବେ ସମର୍ଥନ ଦେବ ନାହିଁ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, ଦ୍ରୌପଦୀ ମୁର୍ମୁ ଜଣେ ଭଲ ବ୍ୟକ୍ତିତ୍ବ । ତାଙ୍କ ସହ ମୁଁ ୫ ବର୍ଷ ଧରି ବିଧାନସଭାରେ କାର୍ଯ୍ୟ କରିଛି । ସେ ଜଣେ ଭଲ ବକ୍ତା । କିନ୍ତୁ ସେ ଯେତେ ଭଲ ଲୋକ ହେଲେ ମଧ୍ୟ ବିଜେପି ଓ ଆରଏସଏସ ଚିନ୍ତାରେ ରାଜନୀତି କରୁଛନ୍ତି । ଏହାଛଡ଼ା କଂଗ୍ରେସ ଅନ୍ୟ ବିରୋଧୀ ସହ ମିଶି ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରି ସାରିଛି । କଂଗ୍ରେସ ନେତାଏ ବିଜେପି ଓ ଆରଏସଏସ ଚିନ୍ତାଧାରାରେ ଅନୁପ୍ରାଣିତ ବ୍ୟକ୍ତିଙ୍କୁ ଭୋଟ ଦେବେ ନାହିଁ ବୋଲି କହିଛନ୍ତି।

ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅପିଲ କେବଳ ଆଖି ଦେଖାଣିଆ ହୋଇଥିବା ବେଳେ ବିଜେଡି ଓ ବିଜେପି ଏକ ଅଟନ୍ତି । ଯାହା ପାଇଁ ପୂର୍ବରୁ ନବୀନ ପଟ୍ଟନାୟକ ଦିଲ୍ଲୀରେ ମୋଦୀଙ୍କୁ ଭେଟି ସଲାସୁତୁରା କରି ସାରିଥିବାର ସେ ଅଭିଯୋଗ ଆଣିଛନ୍ତି। ଏହାଛଡ଼ା କଂଗ୍ରେସ ଦଳ ନିଜର ପାର୍ଥୀ ମଧ୍ୟ ଦେଇଛି ଏବଂ ଦଳ ତାଙ୍କୁ ହିଁ ସମର୍ଥନ ଦେବ ବୋଲି ସେ ସ୍ପଷ୍ଟ କରିଛନ୍ତି।

“ମିଳିତ ବିରୋଧୀ ଦଳ ଯଶୱନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଘୋଷଣା କରିଛି । ଏଥିରେ କଂଗ୍ରେସ ମଧ୍ୟ ସାମିଲ ରହିଛି । ରାଜନୀତିରେ ଜଣଙ୍କୁ ଛିଡ଼ା କରାଇ ଆଉ ଜଣଙ୍କୁ ଭୋଟ ଦେବେ ଯଥାର୍ଥତା ନୁହେଁ ବୋଲି କହିଛନ୍ତି ନରସିଂହ ।

ସେପଟେ କ୍ଷମତାସୀନ ଏନଡିଏ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥିନୀ ଭାବରେ ଘୋଷଣା କରିଛନ୍ତି । ସେ ନିର୍ବାଚିତ ହେଲେ ପ୍ରଥମ ଓଡ଼ିଆ ତଥା ଆଦିବାସୀ ରାଷ୍ଟ୍ରପତି ହେବେ । ତେବେ ପ୍ରଥମ ଓଡ଼ିଆ ରାଷ୍ଟ୍ରପତି ପ୍ରାର୍ଥିନୀ ହୋଇଥିଲେ ସୁଦ୍ଧା ଦ୍ରୌପଦୀଙ୍କୁ କଂଗ୍ରେସ ଭୋଟ ଦେବ ନାହିଁ ବୋଲି ନରସିଂହ କହିଛନ୍ତି ।