ଶିବସେନା ମହା ବିକାଶ ଅଘାଡ଼ୀରୁ ବାହାରକୁ ପ୍ରସ୍ତୁତ ଅଛି : ସଞ୍ଜୟ ରାଉତଙ୍କ ବଡ ଘୋଷଣା

ମୁମ୍ବାଇ (ସଂକେତ୍ ଟିଭି) : ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ତଥା ଶିବସେନାର ବରିଷ୍ଠ ନେତା ଏକନାଥ ସିନ୍ଦେଙ୍କ ବିଦ୍ରୋହ ପରେ ରାଜ୍ୟରେ ରାଜନୈତିକ ଅସ୍ଥିରତା ଦେଖାଦେଇଥିବାବେଳେ ରାଜନୈତିକ ହଟଚମଟ ଜାରି ରହିଛି । ଏହି ସମୟରେ ଶିବସେନା ନୂଆ ଚାଲ୍ ଖେଳିଛି । ବିଦ୍ରୋହୀ ଶିବସେନା ବିଧାୟକମାନେ ୨୪ ଘଣ୍ଟା ମଧ୍ୟରେ ଫେରି ଆସୁ । ଆମେ ମହା ବିକାଶ ଅଘାଡ଼ୀରୁ ବାହାରକୁ ପ୍ରସ୍ତୁତ ଅଛୁ । ଶିବସେନା ସାଂସଦ ସଞ୍ଜୟ ରାଉତ ଏକ ସାମ୍ବାଦିକ ସମ୍ମିଳନୀ କରି ଏକଥା କହିଛନ୍ତି । ସେ ସମସ୍ତ ବିଦ୍ରୋହୀ ବିଧାୟକଙ୍କୁ ଫେରି ଆସିବାକୁ ଅପିଲ କରିଛନ୍ତି ।

ରାଉତ କହିଛନ୍ତି ଯେ, “ଏହି ଲୋକ (ଟିମ୍ ସିନ୍ଦେ) ଙ୍କୁ ମୁମ୍ବାଇ ଆସିବାକୁ ସାହସ ନାହିଁ । ଏଠାକୁ ଆସି ସେମାନଙ୍କୁ ଯାହା କିଛି କହିବାର ଅଛି, ତାହା କହିବା ଉଚିତ୍ । ଏଠାକୁ ଆସନ୍ତୁ ଓ ଚିଠି ଲେଖନ୍ତୁ । କିନ୍ତୁ ଏହି ସମସ୍ତ ଲୋକ ଗୁଆହାଟୀରେ ବସି କଥା କହୁଛନ୍ତି । ସାହସ ଅଛି ତ ମୁମ୍ବାଇକୁ ଫେରି ଆସନ୍ତୁ । ଉଦ୍ଧବ ଠାକରେଙ୍କ ଆଗରେ ନିଜର କଥା ରଖନ୍ତୁ । ମୋତେ ସଂପୂର୍ଣ୍ଣ ଭରସା ରହିଛି ଯେ ଆପଣଙ୍କ କଥା ଶୁଣା ଯିବ । ୨୪ ଘଣ୍ଟା ମଧ୍ୟରେ ଫେରି ଆସନ୍ତୁ । ମହା ବିକାଶ ଅଘାଡ଼ୀରୁ ବାହାରିବା ବିଷୟରେ ବିଚାର କରିବୁ ।”

ଗଣମାଧ୍ୟମକୁ ସମ୍ୱୋଧନ କରୁଥିବା ସମୟରେ ସେ ଆଗକୁ କହିଛନ୍ତି ଯେ, “ଟିମ୍ ସିନ୍ଦେଙ୍କ ୨୧ ଜଣ ବିଧାୟକ ସହ ଆମର ଯୋଗାଯୋଗରେ ରହିଛି । ଆମର ବିଧାୟକମାନେ ଅପହରଣ ହୋଇଛନ୍ତି ।” ସେପଟେ ଫେରିଥିବା ଶିବସେନା ବିଧାୟକ ନିତିନ ଦେଶମୁଖ କହିଛନ୍ତି ଯେ, “ସୁରଟରେ ବହୁ ପୋଲିସ ସୁରକ୍ଷା ଥିଲା । ମୋତେ ଜବରଦସ୍ତ ସୁରଟକୁ ନିଆଯାଇଥିଲା ।”

ସେହିପରି କୈଳାସ ପାଟିଲ କହିଛନ୍ତି ଯେ, ମୋତେ ସୁରଟରେ କଏଦ କରି ରଖାଯାଇଥିଲା । ଏକ କିଲୋମିଟର ଦୌଡ଼ି ସେମାନଙ୍କ କବଳରୁ ରକ୍ଷା ପାଇଛି । ବାଧ୍ୟତାମୂଳକ ଯୋଗୁଁ ଅନେକ ବିଧାୟକ ମୁମ୍ବାଇ ଫେରିଯିବାକୁ ଅସମର୍ଥ ଅଛନ୍ତି ।”