ମହଙ୍ଗାରେ ଜର୍ଜରିତ ପୂରା ବିଶ୍ୱ, ୪୦ବର୍ଷର ରେକର୍ଡ ଭାଙ୍ଗିଲା ୟୁକେର ମହଙ୍ଗା ଦର

ନୂଆଦିଲ୍ଲୀ (ସଂକେତ୍ ଟିଭି) : କେବଳ ଭାରତ ନୁହେଁ ଏବେ ପୂରା ବିଶ୍ୱ ମହଙ୍ଗାରେ ଜର୍ଜରିତ । ପ୍ରତ୍ୟେକ ଦିନ ମହଙ୍ଗା ନୂଆ ନୂଆ ରେକର୍ଡ କରିଚାଲିଛି । ଖାଦ୍ୟଶସ୍ୟ, ଶକ୍ତି, ଇନ୍ଧନ ଓ ଅନ୍ୟାନ୍ୟ ସାମଗ୍ରୀର ଦର ହୁ ହୁ ହୋଇ ବଢ଼ିଚାଲିଛି ।

ଅଫିସ୍ ଫର୍‌ ନ୍ୟାସନାଲ ଷ୍ଟାଡିଷ୍ଟିକ୍ସର ରିପୋର୍ଟ ମୁତାବକ ବର୍ତ୍ତମାନ ୟୁନାଇଟେଡ୍‌ କିଙ୍ଗଡମ୍‌(ୟୁକେ)ର ମହଙ୍ଗା ଦର ଗତ ୧୨ ମାସରେ ରେକର୍ଡ ଭାଙ୍ଗି ଦେଇଛି । ସେଠାରେ ଏବେ ମହଙ୍ଗା ଦର ଏବେ ୯.୧% ରହିଛି । ଯଦି ଖାଦ୍ୟସାମଗ୍ରୀର କଥା ଚିନ୍ତା କରାଯାଏ ତେବେ ବ୍ରେଡ୍‌, ଶସ୍ୟ, ମାଂସର ଦର ଗତ କିଛିଦିନ ହେବ ଲଗାତାର ବୃଦ୍ଧି ପାଇଚାଲିଛି । ଖାଦ୍ୟସାମଗ୍ରୀର ଦରବୃଦ୍ଧି ଯୋଗୁଁ ଲୋକେ ଘର ଚଳାଇବା କଷ୍ଟକର ହୋଇପଡ଼ିଛି । ଏପରିସ୍ଥଳେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ସେମାନଙ୍କ ମଜୁରୀ ବୃଦ୍ଧି କରିବାକୁ ଦାବି କରିଛନ୍ତି ।

ତେବେ ସରକାର ଚେତାବନୀ ଦେଇ କହିଛନ୍ତି କି ଯଦି କମ୍ପାନୀମାନେ ଶ୍ରମିକଙ୍କ ଦରମା ବୃଦ୍ଧି କରନ୍ତି ତେବେ ୧୯୭୦ ଭଳି ଦରମା ବୃଦ୍ଧି ସହ ଜିନିଷପତ୍ରର ଦରଦାମ ବି ହୁ ହୁ ହୋଇ ବଢ଼ିଚାଲିବ । ସୂଚନା ମୁତାବକ ୟୁକେର ମହଙ୍ଗା ଦର ଗତ ୪୦ ବର୍ଷର ରେକର୍ଡ ଭାଙ୍ଗିଛି । ଅର୍ଥାତ ୧୯୮୧ ମସିହା ପରେ ପୁଣିଥରେ ୟୁକେର ମହଙ୍ଗା ଦର ୯.୧% ରେକର୍ଡ କରାଯାଇଛି । ଏଥିସହ ବ୍ୟାଙ୍କ ଅଫ୍ ଇଂଲଣ୍ଡର ମହଙ୍ଗା ଦର ୧୧% ପହଂଚିଥିବା ଅନୁମାନ କରାଯାଉଛି ।

କେବଳ ଯେ ୟୁକେରେ ମହଙ୍ଗା ଦର ବୃଦ୍ଧି ପାଇଛି ତା’ ନୁହେଁ ଆମେରିକାରେ ବି ମହଙ୍ଗା ଦର ୪୦ ବର୍ଷର ରେକର୍ଡ ଭାଙ୍ଗିଛି । ଆମେରିକା ତା’ର ମହଙ୍ଗା ଦରକୁ ନିୟନ୍ତ୍ରଣ କରିବା ପାଇଁ ଫେଡେରାଲ୍ ରିଜର୍ଭ ବ୍ୟାଙ୍କ ସୁଧଦର ବୃଦ୍ଧି କରିଛି । ଯାହାର ପ୍ରଭାବ ସାରା ବିଶ୍ୱରେ ପ୍ରଭାବ ପକାଇଛି । ଭାରତରେ ବି ଆର୍‌ବିଆଇ ତା’ର ରେପୋରେଟ୍‌ ବୃଦ୍ଧି କରିଛି ।