CulturalFeaturedLatest

ପଶ୍ଚିମବଙ୍ଗରେ ସର୍ବାଧିକ ‘ଶୂନଗାଡ଼ି’ ମାଲିକ

କୋଲକାତା (ସଂକେତ୍ ଟିଭି) : ପଶ୍ଚିମବଙ୍ଗରେ ୭୮.୯ ପ୍ରତିଶତ ପରିବାରରେ ‘ଶୂନଗାଡ଼ି’ (ସାଇକେଲ) ଅଛି, ଯାହା କି ଜାତୀୟ ପାରିବାରିକ ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନଏଫଏଚଏ-୫) ଅନୁଯାୟୀ ସମଗ୍ର ଦେଶରେ ସର୍ବାଧିକ । ସାଇକେଲ କ୍ଷେତ୍ରରେ ଜାତୀୟ ହାରାହାରି ୫୦.୪ ପ୍ରତିଶତ ରହିଥିବା ବେଳେ ପଶ୍ଚିମବଙ୍ଗ ପଛକୁ ଉତ୍ତରପ୍ରଦେଶ ଦ୍ୱିତୀୟ ସ୍ଥାନରେ ରହିଛି ଏବଂ ଏଠାରେ ୭୫.୬ ପ୍ରତିଶତ ପରିବାର ସାଇକେଲର ମାଲିକ ବୋଲି ଏହି ରିପୋର୍ଟରେ କୁହାଯାଇଛି ।

ଓଡ଼ିଶାରେ ୭୨.୫ ପ୍ରତିଶତ ପରିବାରର ସାଇକେଲ ଥିବାବେଳେ ଛତିଶଗଡ଼ରେ ଏହି ସଂଖ୍ୟା ୭୦.୮ ପ୍ରତିଶତ ରହିଛି । ଏହା ପରେ ଆସାମ (୭୦.୩ ପ୍ରତିଶତ), ପଞ୍ଜାବ (୬୭.୮ ପ୍ରତିଶତ), ଝାଡ଼ଖଣ୍ଡ (୬୬.୩ ପ୍ରତିଶତ) ଏବଂ ବିହାର (୬୪.୮ ପ୍ରତିଶତ) ପରିବାରଙ୍କ ନିକଟରେ ସାଇକେଲ ରହିଛି ବୋଲି ୨୦୧୯- ୨୧ ସର୍ଭେ ରିପୋର୍ଟରେ କୁହାଯାଇଛି ।

ନାଗାଲାଣ୍ଡରେ ସାଇକେଲର ମାଲିକାନା ଥିବା ପରିବାରର ସଂଖ୍ୟା ସର୍ବନିମ୍ନ ୫.୫ ପ୍ରତିଶତ ଥିବାବେଳେ ସିକିମରେ ଏହା ୫.୯ ପ୍ରତିଶତ ରହିଛି । ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ଗୁଜୁରାଟର ୨୯.୯ ପ୍ରତିଶତ ପରିବାରର ସାଇକେଲ ଅଛି ଏବଂ ଦିଲ୍ଲୀରେ ଏହା ୨୭.୨ ପ୍ରତିଶତ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ପଶ୍ଚିମବଙ୍ଗ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ‘ସବୁଜ ସାଥି’ ଯୋଜନା ହେତୁ ରାଜ୍ୟ ସାଇକେଲ ସଂଖ୍ୟାରେ ଶୀର୍ଷ ସ୍ଥାନ ହାସଲ କରିଛି । ଏହି ଯୋଜନାର ଏକ ଅଂଶ ଭାବରେ ୯ ରୁ ୧୨ ଶ୍ରେଣୀର ଛାତ୍ରମାନଙ୍କୁ ସାଇକେଲ ଦିଆଯାଇଛି । ପଶ୍ଚିମବଙ୍ଗରେ ସାଇକେଲ ବ୍ୟବହାରକାରୀଙ୍କ ସଂଖ୍ୟା ବୃଦ୍ଧି ହେବାର ଏହା ହେଉଛି ପ୍ରାଥମିକ କାରଣ । ଏହି ଯୋଜନା କେବଳ ଛାତ୍ରମାନଙ୍କୁ ନୁହେଁ ବରଂ ସେମାନଙ୍କ ପରିବାରକୁ ମଧ୍ୟ ସାହାଯ୍ୟ କରୁଛି ବୋଲି ଅଧିକାରୀ କହିଛନ୍ତି ।

ସେ କହିଛନ୍ତି, ଯେଉଁ ଅଞ୍ଚଳରେ ସାର୍ବଜନୀନ ପରିବହନରେ ବ୍ୟବଧାନ ରହିଛି ସେଠାରେ ଅନେକଙ୍କ ପାଇଁ ସାଇକେଲ ପରିବହନର ପସନ୍ଦର ମାଧ୍ୟମ ହୋଇ ରହିଛି । କେବଳ ଗ୍ରାମାଞ୍ଚଳରେ ନୁହେଁ, କୋଲକାତା ନିକଟସ୍ଥ ନ୍ୟୁ-ଟାଉନ୍ ଭଳି ଅଞ୍ଚଳରେ ସାଇକେଲ୍ ମଧ୍ୟ ପସନ୍ଦ କରାଯାଏ । କାରଣ ଏହା ପରିବେଶ ଅନୁକୂଳ ଅଟେ । ସଲ୍‌ଟ ଲେକ୍ ଏବଂ -ଟାଉନ୍‌ରେ ରାସ୍ତା ସହିତ ପୃଥକ ସାଇକେଲ୍ ଲେନ୍ ନିର୍ମାଣ କରାଯାଉଛି । ଅନ୍ୟ ସହରରେ ମଧ୍ୟ ଏହିରି ରାସ୍ତା ନିର୍ମାଣ କରିବାର ଯୋଜନା ରହିଛି ବୋଲି ଅଧିକାରୀ କହିଛନ୍ତି । ମେ ୧୧ ପର୍ଯ୍ୟନ୍ତ ‘ସବୁଜ ସାଥି’ ଯୋଜନାରେ ପଶ୍ଚିମବଙ୍ଗରେ ୧,୦୩,୯୭,୪୪୪ ଜଣ ଛାତ୍ର ସାଇକେଲ ପାଇଛନ୍ତି ।