CulturalLatest

ସନ୍ତୁଳନ ନିର୍ଦ୍ଧାରିତ କରିବ ଆୟୁ

ନୂଆଦିଲ୍ଲୀ (ସଂକେତ୍ ଟିଭି) :ସୁସ୍ଥ ଓ ଦୀର୍ଘ ଆୟୁ ସକାଶେ ଜୀବନରେ ଖାଦ୍ୟପେୟ ଓ ବ୍ୟାୟାମର ସନ୍ତୁଳନ ଆବଶ୍ୟକ । ସନ୍ତୁଳିତ ବ୍ୟାୟାମ ପ୍ରତ୍ୟେକଙ୍କ ସୁସ୍ଥ ଜୀବନ ପାଇଁ ଅତ୍ୟନ୍ତ ଜରୁରୀ । ଏହାକୁ ପ୍ରମାଣିତ କରିବା ପାଇଁ ବ୍ରାଜିଲ୍‌ର ଏକ ଗବେଷକ ଦଳ ୫ ବର୍ଷରୁ ଅଧିକ ବର୍ଷ ହେବ ଏକ ପରୀକ୍ଷା କରିଆସୁଥିଲେ । ଉକ୍ତ ପରୀକ୍ଷାରେ ୧ହଜାର ୭୦୦ ଜଣ ବ୍ୟକ୍ତି ଯୋଗ ଦେଇଥିଲେ, ଯାହାଙ୍କର ବୟସ ୫୧ ବର୍ଷରୁ ୭୫ ବର୍ଷ ରହିଥିଲା । ପରୀକ୍ଷାରୁ ମିଳିଥିବା ତଥ୍ୟ ଭିନ୍ନ ଏବଂ ଅନନ୍ୟ ରହିଥିଲା ।

ତଥ୍ୟ ଅନୁସାରେ, ଯଦି ୫୦ ବର୍ଷ ବୟସରୁ ଅଧିକ ବ୍ୟକ୍ତି ଗୋଟିଏ ଗୋଡ଼ରେ ୧୦ ସେକେଣ୍ଡରୁ ଅଧିକ ସମୟ ଠିଆ ହୋଇପାରୁ ନାହାଁନ୍ତି, ତେବେ ଆଗାମୀ ୧୦ ବର୍ଷ ମଧ୍ୟରେ ସେମାନଙ୍କର ମୃତ୍ୟୁ ସମ୍ଭାବନା ଦ୍ୱିଗୁଣିତ ହେବ । ଗବେଷଣାରେ ଯୋଗ ଦେଇଥିବା ବ୍ୟକ୍ତିଙ୍କୁ ପ୍ରତ୍ୟେକ ଦିନ ବ୍ୟାୟାମ କରିବାକୁ କୁହାଯାଇଥିଲା । ସେମାନଙ୍କ ମଧ୍ୟରୁ ଅସୁସ୍ଥ ଥିବା କିଛି ବ୍ୟକ୍ତି ୧୦ ସେକେଣ୍ଡରୁ ଅଧିକ ସମୟ ଗୋଟିଏ ଗୋଡ଼ରେ ଠିଆ ହୋଇପାରିନଥିଲା ବେଳେ କିଛି ଅସୁସ୍ଥ ବ୍ୟକ୍ତି ଠିଆ ହୋଇପାରିଥିଲେ ।

୨୧ ପ୍ରତିଶତ ବ୍ୟକ୍ତି ଏହି ସନ୍ତୁଳନ ପରୀକ୍ଷଣରେ ବିଫଳ ହୋଇଥିଲେ । ଯାହାଙ୍କର ଆୟୁ କମ୍‌ ଥିବା ଜଣାପଡ଼ିଥିଲା । ତେବେ ଯେଉଁ ଅସୁସ୍ଥ ବ୍ୟକ୍ତି ସେହି ୧୦ ସେକଣ୍ଡେର ସମୟକୁ ପାର୍‌ କରି ଜିତିଥିଲେ, ସେମାନଙ୍କ ଆୟୁ ଦୀର୍ଘ ରହିଥିବା ଗବେଷକମାନେ ପ୍ରକାଶ କରିଥିଲେ । ୭୧ ରୁ ୭୫ ବର୍ଷ ବୟସରେ ଥିବା ବ୍ୟକ୍ତିଙ୍କ ମଧ୍ୟରୁ ୫୪% ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିନଥିଲେ । ଏଥି ସହିତ, ୫୧ ରୁ ୫୫ ବର୍ଷ ବୟସ୍କଙ୍କ ମଧ୍ୟରୁ ୫% , ୫୬ ରୁ ୬୦ ବର୍ଷ ବୟସ୍କଙ୍କ ମଧ୍ୟରୁ ୮ %, ୬୧ ରୁ ୬୫ ବର୍ଷ ବୟସ୍କଙ୍କ ମଧ୍ୟରୁ ୧୮ % ଏବଂ ୬୬ ରୁ ୭୦ ବର୍ଷ ବୟସ୍କଙ୍କ ମଧ୍ୟରୁ ୩୭% ଏହି ପରୀକ୍ଷାରେ ବିଫଳ ହୋଇଥିଲେ ।

ଯାହାଙ୍କର ସ୍ୱାସ୍ଥ୍ୟ ଖୁବ୍‌ ଦୁର୍ବଳ ଥିବା ଜଣାପଡ଼ିଥିଲା । ଯେଉଁମାନେ ସନ୍ତୁଳନ ପରୀକ୍ଷଣରେ ବିଫଳ ହୋଇଥିଲେ ସେମାନଙ୍କ ମଧ୍ୟରେ ମେଦବହୁଳତା, ଉଚ୍ଚ ରକ୍ତଚାପ, କରୋନାରୀ ଧମନୀ ରୋଗ ଏବଂ ଡିସ୍‌ଲିପିଡେମିଆ ଭଳି ରୋଗ ରହିଥିଲା । ଏଥିରୁ ଗବେଷକମାନେ ଜାଣିବାକୁ ପାଇଲେ ଯେ, ଯେଉଁମାନେ ସନ୍ତୁଳନ ପରୀକ୍ଷଣରେ ବିଫଳ ହୋଇଥିଲେ ସେମାନଙ୍କ ଆୟୁ ଥିଲା କମ୍‌ ।

ଏହାପରେ ବିଫଳ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ପ୍ରାୟ ୧୭.୫% ପରବର୍ତ୍ତୀ ୫ ବର୍ଷ ମଧ୍ୟରେ ପ୍ରାଣ ହରାଇଲେ । ସେହି ସମୟରେ, ଜିତିଥିବା ବ୍ୟକ୍ତିଙ୍କ ମଧ୍ୟରେ ଏହି ସଂଖ୍ୟା ୪.୬% ଥିଲା ଓ ସେମାନେ ୫ ବର୍ଷ ପରେ ମଧ୍ୟ ସୁସ୍ଥ୍ୟ ଜୀବନ ବିତାଉଥିଲେ । ଏଥିରୁ ଗବେଷକମାନେ ଜାଣିବାକୁ ପାଇଥିଲେ ଯେ, ଗୋଟିଏ ଗୋଡ଼ରେ ୧୦ ସେକେଣ୍ଡରୁ ଅଧିକ ସମୟ ଠିଆ ହୋଇପାରୁନଥିବା ବ୍ୟକ୍ତି ୧୦ ବର୍ଷ ମଧ୍ୟରେ ସେମାନଙ୍କର ମୃତ୍ୟୁ ସମ୍ଭାବନା ଦ୍ୱିଗୁଣିତ ରହିଥାଏ ।