ଆସିବ ନୂଆ ଆପାର୍ଟମେଣ୍ଟ ଓନରସିପ୍ ଆଇନ, ରେରା ଆଇନ ଭିତରେ ଆସୁନଥିଲେ ଫ୍ଲାଟ୍ ପଞ୍ଜିକରଣ ବନ୍ଦ
ନୂଆଦିଲ୍ଲୀ (ସଂକେତ ଟିଭି) : ଫ୍ଲାଟ୍ ଓନରସିପ୍କୁ ନେଇ ଚାଲି ଆସିଥିବା ବିବାଦ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଜରିଆରେ ଜବାବ ଦାଖଲ କରାଯାଇଥିଲା । ଏହି ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ଏକ ନୂଆ ‘ଆପାର୍ଟମେଣ୍ଟ ଓନରସିପ୍ ଆଇନ’ଆଣିବେ ବୋଲି ଅଦାଲତଙ୍କୁ ଅବଗତ କରିଛନ୍ତି । ଏଥିପାଇଁ ତିନି ମାସ ସମୟ ଲାଗିବ ବୋଲି ସତ୍ୟପାଠରେ କୁହାଯାଇଛି । ଏହି ସମସ୍ୟାର ସମାଧାନ ନବାହାରିବା ପର୍ଯ୍ୟନ୍ତ ରେରା ଆଇନର ଉଲ୍ଲଂଘନ କରୁଥିବା ଫ୍ଲାଟ୍ର ପଞ୍ଜିକରଣ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ପୂର୍ବ ଶୁଣାଣିରେ ରହିତାଦେଶ ଜାରି କରିଥିଲେ ।
ହାଇକୋର୍ଟଙ୍କ ଏହି ଆଦେଶ ଫଳରେ ଗୋଟେ ମାସରୁ ଅଧିକ ସମୟ ଧରି ରାଜ୍ୟରେ ସମସ୍ତ ଫ୍ଲାଟ୍ କିଣାବିକା ବନ୍ଦ ହୋଇ ଯାଇଛି । ବର୍ତ୍ତମାନ ଏହି ଆଇନ ଆସିବା ପର୍ଯ୍ୟନ୍ତ ଫ୍ଲାଟ୍ ଗୁଡ଼ିକର କିଣାବିକା ପାଇଁ ଅଦାଲତ ଅନୁମତି ଦେବାକୁ ଆଜି ବିଭିନ୍ନ ପକ୍ଷଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା । କିନ୍ତୁ ହାଇକୋର୍ଟ ଏହାକୁ ଅଗ୍ରାହ୍ୟ କରି ଦେଇଛନ୍ତି । କେବଳ ଯେଉଁ ଫ୍ଲାଟ୍ ରେରା ଆଇନକୁ ମାନୁଥିବେ ବା କାର୍ଯ୍ୟକାରୀ କରୁଥିବେ ସେହିମାନଙ୍କୁ ପଞ୍ଜିକରଣ ପାଇଁ ଅନୁମତି ଦିଆଯାଇ ପାରିବ ବୋଲି ଅଦାଲତ ଆଦେଶରେ ସ୍ପଷ୍ଟ କରି ଦେଇଛନ୍ତି ।
ବିମଳେନ୍ଦୁ ପ୍ରଧାନଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍. ମୁରଲୀଧର ଏବଂ ବିଚାରପତି ଜଷ୍ଟିସ୍ ରାଧାକୃଷ୍ଣ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତକାଲି ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ଶୁଣାଣି ଆସନ୍ତା ଅଗଷ୍ଟ ୨୪ ତାରିଖକୁ ଧାର୍ଯ୍ୟ ହୋଇଛି ।
ନିୟମ ଅନୁଯାୟୀ କୌଣସି ଫ୍ଲାଟ୍ ପଞ୍ଜିକରଣ ହେଉଥିଲାବେଳେ ଆପାର୍ଟମେଣ୍ଟର ସର୍ବସାଧାରଣ ଜାଗା ଫ୍ଲାଟ୍ ମାଲିକ ଆସୋସିଏସନ୍ଙ୍କ ନାମରେ କରାଯାଇଥାଏ । କିନ୍ତୁ ଓଡ଼ିଶାରେ ଆପାର୍ଟମେଣ୍ଟର ସର୍ବସାଧାରଣ ଜାଗା ମାଲିକମାନଙ୍କୁ ନେଇ ଗଠିତ ଆସୋସିଏସନ୍ ନାମରେ କରାଯାଉନଥିବାବେଳେ ଫ୍ଲାଟ୍ର କିନ୍ତୁ ପଞ୍ଜିକରଣ କରାଯାଉଛି ବୋଲି ବେଦନକାରୀଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା । ଏଥିରେ ରେରା ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଜବାବ ରଖାଯାଇଥିଲା । ଏହି ଜବାବ ପରେ ହାଇକୋର୍ଟ ଫ୍ଲାଟ୍ର କିଣାବିକା ଉପରେ ରୋକ୍ ଲଗାଇଥିଲେ ।
ଏଥିସହ ରାଜ୍ୟ ସରକାରଙ୍କୁ ଜବାବ ରଖିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ଗୃହ ଏବଂ ନଗର ଉନ୍ନୟନ ବିଭାଗ ଅତିରିକ୍ତ ସଚିବ ସୁଶାନ୍ତ କୁମାର ମିଶ୍ର ଏହି ସତ୍ୟପାଠ ଦାଖଲ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମାମଲାକୁ ଆଡ଼ଭୋକେଟ୍ ଜେନେରାଲ ଅଶୋକ ପରିଜା, ରେରା ପକ୍ଷରୁ ଆଇନଜୀବୀ ବିଭୁପ୍ରସାଦ ତ୍ରିପାଠୀ, ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ମୋହିତ ଅଗ୍ରୱାଲ ମାମଲା ପରିଚାଳନା କରୁଛନ୍ତି ।