ବାଲେଶ୍ୱର ଯୋଗାଣ ବିଭାଗର କର୍ମଚାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲିଆପାଳ (ଉମାକାନ୍ତ ନାୟକ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଯୋଗାଣ ବିଭାଗ କର୍ମଚାରୀ ଜନାର୍ଦ୍ଦନ ପଲାଇଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ଜନାର୍ଦ୍ଦନ ଆଣ୍ଟି ସ୍ମଗଲିଂ ଗାର୍ଡ ଭାବରେ କାର୍ଯ୍ଯ କରନ୍ତି ।

ଏହି ଚଢାଉ ୪ ଜଣ ଡିଏସପି ଓ ୫ଜଣ ଇନସ୍ପେକ୍ଟରଙ୍କ ନେତୃତ୍ବରେ କରାଯାଉଛି। ଆଜି ଭୋର ସାଢେ ୪ଟାରୁ ଜନାର୍ଦ୍ଦନଙ୍କ ଜଳେଶ୍ୱର ଓ ବାଲେଶ୍ୱର ସହରର ନୂଆବଜାର ସ୍ଥିତ ବାସଭବନ ସମେତ ୫ଟି ସ୍ଥାନରେ ଏହି ଚଢ଼ାଉ ହେଉଛି। ଶ୍ରୀ ପଲାଇ ଗଞ୍ଜାମ ଜିଲ୍ଲା ଛତ୍ରପୁର ମୂଳ ବାସିନ୍ଦା ହୋଇଥିବାରୁ ସେଠାରେ ମଧ୍ୟ ଚଢାଉ ହେଉଛି।

ଜନାର୍ଦ୍ଦନ ପୂର୍ବରୁ ଜଳେଶ୍ଵର ସ୍ଥିତ ଆମ୍ବିଳିଅଠା ଓ ଲକ୍ଷ୍ମଣନାଥ ୟୁନିଫାଏଡ ତନଖି ଫାଟକରେ ଆଣ୍ଟି ସ୍ମଗଲିଂ ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ। ଏବେ ସେ ବାଲେଶ୍ଵର ଆର.ଆର.ସି.(ରାଇସ ରିସିଭିଂ ସେଣ୍ଟର) ଓ ଜଳେଶ୍ଵର ଜିଲ୍ଲା ଷ୍ଟେରେଜ ସେଣ୍ଟର (ଡିଏସସି) ରେ କାର୍ଯ୍ୟରତ ଅଛନ୍ତି। ଶ୍ରୀ ପଲାଇ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ହୋଇଥିବା ବେଳେ ପ୍ରାରମ୍ଭିକ ଆକଳନରୁ ସେ ଅଚଳାଚଳ ସମ୍ପତ୍ତିର ମାଲିକ ବୋଲି ଜଣା ପଡିଛି। ତେବେ ତାଙ୍କର ଆୟ କେତେ ଓ ସମସ୍ତ ସ୍ଥାବର ଓ ଅବସ୍ଥାର ସମ୍ପତ୍ତିର ମୂଲ୍ୟ କେତେ ଭିଜିଲାନ୍ସ ସେନେଇ ଖୋଳତାଡ଼ କରୁଛି।