ସିନ୍ଧେଙ୍କ ଗୋଷ୍ଠୀରେ ଥିବା ୧୬ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ନୋଟିସ ଜାରି

ମୁମ୍ବାଇ (ସଂକେତ ଟିଭି): ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ସଙ୍କଟ ଲାଗି ରହିଥିବାବେଳେ ସିନ୍ଧେଙ୍କ ଗୋଷ୍ଠୀରେ ଥିବା ୧୬ ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ଉପ ବାଚସ୍ପତି ନୋଟିସ ପଠାଇଛନ୍ତି । ଏହି ବିଧାୟକମାନଙ୍କୁ କାହିଁକି ଅଯୋଗ୍ୟ ଘୋଷଣା କରାଯିବ ନାହିଁ, ସେ ନେଇ ଉତ୍ତର ରଖିବା ପାଇଁ ନୋଟିସରେ ବାଚସ୍ପତି ଦର୍ଶାଇଛନ୍ତି ।

ଏହି ବିଧାୟକମାନେ ବର୍ତ୍ତମାନ ମୁମ୍ବାଇ ଛାଡି ଗୌହାଟୀରେ ରହିଛନ୍ତି । ଆସନ୍ତାକାଲି (ସୋମବାର) ଅପରାହ୍ନ ୫.୩୦ ସୁଦ୍ଧା ବିଧାୟକମାନଙ୍କୁ ନୋଟିସର ଉତ୍ତର ଦାଖଲ କରିବାକୁ ମଧ୍ୟ ଉପ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି । ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଉପବାଚସ୍ପତି ।

ସେପଟେ ଶିବସେନା କର୍ମକର୍ତ୍ତାମାନେ ରାସ୍ତାକୁ ଓହ୍ଲାଇଛନ୍ତି । ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଟି ହେବା ଆଶଙ୍କାକୁ ଦେଖି ମୁମ୍ବାଇ ପୋଲିସ ପକ୍ଷରୁ ମୁମ୍ବାଇ ସହରରେ ଓ ଥାଣେରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଧାରା ୧୪୪ ଜାରି କରାଯାଇଛି । କୌଣସି ପ୍ରକାର ରାଜନୈତିକ କାର୍ଯ୍ୟକ୍ରମକୁ ଅନୁମତି ଦିଆଯାଇନାହିଁ ।

ଥାଣେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମଗ୍ର ଜିଲ୍ଲାରେ ଧାରା ୧୪୪ ଧାରା ଜାରି କରାଯାଇଛି । ବିଦ୍ରୋହୀ ବିଧାୟକ ତଥା ସମଗ୍ର ଘଟଣାର ମୁଖ୍ୟ କେନ୍ଦ୍ରବିନ୍ଦୁ ଶିବସେନାର ବରିଷ୍ଠ ନେତା ଏକନାଥ ସିନ୍ଧେଙ୍କ ଗଡ ହେଉଛି ଥାଣେ । ସିନ୍ଧେ ଥାଣେରୁ ନିର୍ବାଚିତ ବିଧାୟକ ହେଉଛନ୍ତି। ତେଣୁ ସେଠାରେ କୌଣସି ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ନେଇ ଆଗୁଆ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ ।

୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ରାଜନୈତିକ କାର୍ଯ୍ୟକ୍ରମ ଓ ଶୋଭାଯାତ୍ରା ବାହାର କରିବା ନେଇ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି ।ସେହିପରି ରାଜ୍ୟ ରାଜଧାନୀ ମୁମ୍ବାଇରେ ମଧ୍ୟ ସମସ୍ତ ଥାନାକୁ ଆଲର୍ଟରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସହରର ସମସ୍ତ ରାଜନୈତିକ ଦଳର କାର୍ଯ୍ୟାଳୟରେ ସୁରକ୍ଷା ବ୍ୟବସ୍ଥା ବଢାଯିବା ସହ ଗତିବିଧି ଉପରେ ମଧ୍ୟ ନଜର ରଖାଯାଇଛି । ସହରର ସ୍ଥିତି ନେଇ ଗୁଇନ୍ଦା ବିଭାଗ ସୂଚନା ସହ ପାଟ୍ରୋଲିଂ ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ଗୌହାଟୀରେ ଥିବା ବିଦ୍ରୋହୀ ବିଧାୟକ ମୁମ୍ବାଇରେ ଫେରିବା ପରେ ସହରରେ ଉତ୍ତେଜନା ପ୍ରକାଶ ପାଇବାର ଆଶଙ୍କା ମଧ୍ୟ ଅଧିକ ରହିଛି