ଏକନାଥ ସିନ୍ଧେଙ୍କ ନୂଆ ଦଳ ‘ଶିବସେନା ବାଲାସାହେବ’

ମୁମ୍ବାଇ (ସଂକେତ ଟିଭି): ମହାରାଷ୍ଟ୍ର ରାଜନୀତିରେ ମହାସଙ୍କଟ ଲାଗି ରହିଥିବାବେଳେ ଏକନାଥ ସିନ୍ଧେଙ୍କ ନେତୃତ୍ବାଧୀନ ବିରୋଧୀ ବିଧାୟକଙ୍କ ଗୋଷ୍ଠୀ ଆଜି ନୂଆ ଦଳ ଗଠନ କରିବାକୁ ଘୋଷଣା କରିଛନ୍ତି । ଏହି ଦଳର ନାମ ରଖାଯିବ ‘ଶିବସେନା ବାଲାସାହେବ ’। ଆଜି ଏନେଇ ସିନ୍ଧେଙ୍କ ଗୋଷ୍ଠୀ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ସିନ୍ଧେଙ୍କ ଶିବିରରେ ବର୍ତ୍ତମାନ ପ୍ରାୟ 40 ବିଧାୟକ ଥିବାବେଳେ ନୂଆ ଦଳ ଗଠନ କରିବା ପ୍ରକ୍ରିୟାରେ କୌଣସି ବାଧା ମଧ୍ୟ ନାହିଁ । ଦୁଇ ତୃତୀୟାଶଂ ବିଧାୟକ ସଂଖ୍ୟା ଥିବାରୁ ଦଳ ବଦଳ ନିୟମ ମଧ୍ୟ ଲାଗୁ ହେବ ନାହିଁ । ବିଦ୍ରୋହୀ ବିଧାୟକମାନେ ଏବେ ସୁଦ୍ଧା ମଧ୍ୟ ମୁମ୍ବାଇ ପ୍ରତ୍ୟାବର୍ତ୍ତନ କରିନାହାନ୍ତି । ବିଦ୍ରୋହୀ ବିଧାୟକଙ୍କ ସଂଖ୍ୟାକୁ ବାଦ ଦେଲେ ଶିବସେନା ନେତୃତ୍ୱାଧୀନ ମହା ବିକାଶ ଆଗାଡି ସରକାରର ସ୍ଥାୟୀତ୍ବ ନେଇ ଅନିଶ୍ଚିତତା ଲାଗି ରହିଛି ।

ଅନ୍ୟପଟେ ମୁମ୍ବାଇର କିଛି ସ୍ଥାନରେ ହାଇଆଲର୍ଟ ଜାରି କରାଯାଇଛି । କିଛି ରାଜନୈତିକ କାର୍ଯ୍ୟାଳୟରେ ଉତ୍ତେଜନା ଆଶଙ୍କା ଥିବାରୁ ସେଠାରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ତେବେ ଗୌହାଟୀରେ ସିନ୍ଧେଙ୍କ ସହ ଥିବା ବିଧାୟକଙ୍କ ସୁରକ୍ଷା ହଟାଇ ଦିଆଯାଇଥିବା ସିନ୍ଧେଙ୍କ ଗୋଷ୍ଠୀ ପକ୍ଷରୁ ଅଭିଯୋଗ ମଧ୍ୟ ହୋଇଛି । ସିନ୍ଧେଙ୍କ ଏହି ଅଭିଯୋଗକୁ ମହାରାଷ୍ଟ୍ର ଗୃହମନ୍ତ୍ରୀ ଦିଲ୍ଲୀପ ଓ୍ବାଲସେ ପାଟିଲଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ଖଣ୍ଡନ କରାଯାଇଛି ।

ସେପଟେ ଏବେ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କଡା ଆଭିମୁଖ୍ୟ ଆପଣେଇଛି ଶିବସେନା । ପାର୍ଟି ନେତା ସଞ୍ଜୟ ରାଉତ କହିଛନ୍ତି, ଆମେ ବିଦ୍ରୋହୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବୁ । ବିଦ୍ରୋହୀଙ୍କ ହିସାବ ନିକାଶ କରାଯିବ । ସନ୍ଧ୍ୟା ସୁଦ୍ଧା ସେମାନଙ୍କର ଅବସ୍ଥା ଲୋକଙ୍କ ସାମ୍ନାରେ ଥିବ । ଯିଏ ନିଜର ସ୍ୱାର୍ଥ ରାଜନୀତି ପାଇଁ ବାଲାସାହେବଙ୍କ ନାମ ବ୍ୟବହାର କରୁଛି, ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯିଏ ଆମକୁ ଛାଡିଛି ସେ ଆମ ପୈତୃକ ନାମର ବ୍ୟବହାର କରି ପାରିବ ନାହିଁ ବୋଲି ସଞ୍ଜୟ ରାଉତ କହିଛନ୍ତି ।

ସଞ୍ଜୟ ରାଉତ କହିଛନ୍ତି, ଆମେ ଛଅଟି ପ୍ରସ୍ତାବ ପାରିତ କରିଛୁ । ଏଥିରେ ସ୍ଥିର କରାଯାଇଛି ଯେ, ଶିବସେନା ବାଲାସାହେବ ଠାକରେଙ୍କ ହିନ୍ଦୁତ୍ୱ ରାସ୍ତାରେ ଚାଲିବ । ସେ କହିଛନ୍ତି, ମହାରାଷ୍ଟ୍ରର ଏକତା ପାଇଁ ଆମେ ସେମାନଙ୍କ ସହ କୌଣସି ପ୍ରକାରର ସାଲିସ କରି ପାରିବୁ ନାହିଁ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସ୍ପଷ୍ଟ କରିଛନ୍ତି ଯେ, ଯେଉଁ ଲୋକେ ଶିବସେନାକୁ ଛାଡିଛନ୍ତି, ସେ ବାଲାସାହେବଙ୍କ ନାମରେ ଭୋଟ୍ ମାଗି ପାରିବ ନାହିଁ । ସେହି ଲୋକେ ନିଜ ପିତାଙ୍କ ନାମରେ ଭୋଟ୍ ମାଗନ୍ତୁ । ମହାବିକାଶ ଅଘାଡି ସରକାର ସଂପୂର୍ଣ୍ଣ ଭାବେ ଅଖଣ୍ଡ ଥିବା ସଞ୍ଜୟ ରାଉତ କହିଛନ୍ତି ।

ଏଥିସହ ସଞ୍ଜୟ ରାଉତ ସ୍ପଷ୍ଟ କରିଛନ୍ତି ଯେ, ସନ୍ଧ୍ୟା ସୁଦ୍ଧା ଲୋକଙ୍କୁ ଜଣା ପଡିବ ଯେ, ବିଦ୍ରୋହୀଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଯେଉଁ କାମ କରିଛନ୍ତି, ତାହା ଦମଦାର ରହିଛି । ଆମେ ତାଙ୍କ ନେତୃତ୍ୱରେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ । ଶିବସେନାର ୧୬ ବିଦ୍ରୋହୀଙ୍କୁ ଉପ ବାଚସ୍ପତିଙ୍କ ଦ୍ୱାରା ନୋଟିସ୍ ଜାରି କରାଯାଇଛି ।