ବିନା ହେଲ୍‌ମେଟ୍‌ରେ ଗାଡି ଚଢି ତଣ୍ଡ ଗଣିଲେ ବିଧାୟକ ଓ ଗଣଶିକ୍ଷା ମନ୍ତ୍ରୀ

ବାଲେଶ୍ବର (ସଂକେତ ଟିଭି): ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ବାଲେଶ୍ବର ବିଧାୟକ ସ୍ୱରୂପ ଦାସ ବିନା ହେଲମେଟରେ ଗାଡ଼ି ଚଳାଇ ତଣ୍ଡ ଗଣିଛନ୍ତି । ଉଭୟେ ଗୋଟିଏ ବାଇକରେ ବୁଲୁଥିବାବେଳେ ଉଭୟଙ୍କ ମୁଣ୍ଡରେ ହେଲମେଟ ନଥିବାରୁ ୧୦୦୦ ଟଙ୍କାର ଫାଇନ କଟାଯାଇଛି ।

ସୂଚନା ଅନୁଯାୟୀ, ବାଲେଶ୍ଵର ଗସ୍ତରେ ଆସିଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି(ଶନିବାର) ସକାଳ ଠାରୁ ମନ୍ତ୍ରୀ ବିଭିନ୍ନ ସ୍କୁଲ ପରିଦର୍ଶନ କରିଥିଲେ । ସେ ବାଲେଶ୍ଵର ସଦର ବିଧାୟକ ସ୍ବରୂପ କୁମାର ଦାସଙ୍କ ସହ ବାଇକରେ ବସି ବିଭିନ୍ନ ସ୍ଥାନ ବୁଲୁଥିବା ଦେଖିବାକୁ ମିଳିଥିଲା । ବିଧାୟକ ସ୍ବରୂପ ଦାସ ବାଇକ ଚଳାଉଥିଲେ , ଆଉ ମନ୍ତ୍ରୀ ତାଙ୍କ ପଛରେ ବସିଥିଲେ । ତେବେ ଦୁଇ ଜଣ କେହି ହେଲମେଟ ପିନ୍ଧି ନଥିଲେ ।

ତେବେ ବିଧାୟକ ଏଥିପାଇଁ ବାଲେଶ୍ବର ଟ୍ରାଫିକ ଥାନାକୁ ଯାଇ ସେଠାରେ ଏକ ହଜାର ଟଙ୍କା ଫାଇନ ଦେଇ ଚାଲାଣ କାଟିଛନ୍ତି । ତେବେ ଯେଉଁ ଗାଡି ନମ୍ବରରେ ଟ୍ରାଫିକ ପୋଲିସ ଫାଇନ କାଟିଛି, ତାହା ପଙ୍କଜ ଅଗ୍ରୱାଲ ନାମକ ବ୍ୟକ୍ତିଙ୍କ ନାମରେ ରହିଥିବା ଜଣାପଡିଛି ।