ପାକିସ୍ତାନ ବିମାନକୁ ଏୟାରସ୍ପେଶ୍ ଦେଲାନି ରୁଷ୍‌

ନୂଆଦିଲ୍ଲୀ (ସଂକେତ ଟିଭି): ଆର୍ଥିକ ଦୂରାବସ୍ଥାରେ ଗତି କରୁଥିବା ପାକିସ୍ତାନକୁ ଏବେ ଆନ୍ତର୍ଜାତିକ ବିମାନ ଉଡ଼ାଣରେ ବହୁ ଝଡ଼ଝଞ୍ଜାର ସାମ୍ନା କରିବାକୁ ପଡ଼ୁଛି । ପାକିସ୍ତାନ ଇଣ୍ଟରନ୍ୟାସନାଲ୍ ଏୟାରଲାଇନ୍ସ (ପିଆଇଏ) ଏ ପର୍ଯ୍ୟନ୍ତ ରୁଷ୍‌ର ଓଭରଫ୍ଲାଇଂ କ୍ଲିୟରାନ୍ସ ଫି’ ଦେଇନପାରିବା କାରଣରୁ ପିଆଇଏକୁ ରୁଷ୍ ତା’ର ଏୟାରସ୍ପେଶ୍ ଓଭରଫ୍ଲାଇଂ କ୍ଲିୟରାନ୍ସ ଦେବାକୁ ସ୍ପଷ୍ଟ ମନା କରିଦେଇଛି । ଏହାପରେ ଇସ୍‌ଲାମାବାବାଦ୍‌ରୁ ଟରେଣ୍ଟୋ ଯାଉଥିବା ପିଆଇଏ ବିମାନକୁ ଅନ୍ୟ ରୁଟ୍‌ ଦେଇ ଯିବାକୁ ପଡ଼ିଛି ।

ପାକିସ୍ତାନୀ ମିଡିଆ ରିପୋର୍ଟ ଅନୁଯାୟୀ ଗୁରୁବାର ଦିନ ପ୍ରଥମେ ବିମାନକୁ କରାଚୀ ଅଣାଯାଇଥିଲା । ସେଠାରେ ତାହାକୁ ରୁଷ୍ ଏୟାରସ୍ପେଶ୍ ବଦଳରେ ୟୁରୋପିଆନ୍ ଦେଶର ଏୟାରସ୍ପେଶ୍‌ ଦେଇ ଟରେଣ୍ଟୋ ନିଆଯାଇଥିଲା । ତେବେ ଏହି ସମୟରେ ପିଆଇଏ ବିମାନ ପିକେ୭୮୧ରେ ଥିବା ୨୫୦ଜଣ ଯାତ୍ରୀ ବହୁ ସମୟ ପର୍ଯ୍ୟନ୍ତ ଏଭଳି ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣାଯାଇଛି ।

ପିଆଇଏ ପ୍ରବକ୍ତାଙ୍କ କହିବାନୁଯାୟୀ ରୁଷ୍ ଉପରେ ଆନ୍ତର୍ଜାତିକ କଟକଣା ଯୋଗୁଁ ରୁଷ୍‌କୁ ପେମେଣ୍ଟ ଟ୍ରାନ୍ସଫର କରିବାରେ ଅସୁବିଧା ଦେଖାଦେଇଛି । ଏଥିାଇଁ ପିଆଇଏ ଅନ୍ୟ ରୁଟ୍ ଖୋଜିବା ବାଧ୍ୟ ହୋଇଥିଲା । ଏବେ ଇସ୍‌ଲାମାବାଦ୍‌ରୁ ଟରେଣ୍ଟୋ ଯିବାକୁ ହେଲେ ପିଆଇଏ ଇରାନ, ତୁର୍କୀ ଓ ୟୁରୋପର ଏୟାରସ୍ପେଶ୍ ବ୍ୟବହାର କରିବ ବୋଲି ଜଣାଯାଇଛି । ତେବେ ଏଭଳି ଲଜ୍ଜାଜନକ ଘଟଣାକୁ ନେଇ ସୋସିଆଲ୍ ମିଡିଆରେ ୟୁଜର୍ସମାନେ ପାକିସ୍ତାନ ସରକାରଙ୍କୁ ପ୍ରଶ୍ନବାଣରେ ଘାଇଲା କରିଛନ୍ତି ।