ରାମଗୋପାଲ ବର୍ମାଙ୍କ ବିବାଦୀୟ ଟ୍ୱିଟ୍‌ : ଦ୍ରୌପଦୀ ରାଷ୍ଟ୍ରପତି, ତ ପାଣ୍ଡବମାନେ କିଏ

ହାଇଦ୍ରାବାଦ (ସଂକେତ ଟିଭି): ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ନେଇ ବଲିଉଡ ଫିଲ୍ମ ନିର୍ମାତା ରାମଗୋପାଲ ବର୍ମା ଟ୍ୱିଟରରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ଉପୁଜିଛି । ବର୍ମା ତାଙ୍କ ଟ୍ୱିଟ୍‌ରେ ‘ଯଦି ଦ୍ରୌପଦୀ ରାଷ୍ଟ୍ରପତି, ତେବେ ପାଣ୍ଡବ ସବୁ କିଏ? ଏଥିରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କୌରବ ମାନେ କିଏ?’ବୋଲି ଲେଖିଛନ୍ତି । ରାଷ୍ଟ୍ରପତି ପଦ ନିମନ୍ତେ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀପତ୍ର ଦାଖଲ କରିବା ପରେ ରାମଗୋପାଲ ବର୍ମା ଏପରି ଟ୍ୱିଟ୍‌ କରିଛନ୍ତି।

ତେବେ ଏହାରି ବିରୋଧରେ ହାଇଦ୍ରାବାଦ ବିଜେପି ପକ୍ଷରୁ ପୋଲିସରେ ଅଭିଯୋଗ କରାଯାଇଛି। ମାମଲାରେ ଖୁବ୍ ଶୀଘ୍ର କ୍ରିମନାଲ କେସ୍ ରୁଜୁ କରାଯିବ ବୋଲି ପୋଲିସ କହିଛି। ବିଜେପି ନେତା ଗୁଡ୍ଡୁର ନାରାୟଣ ରେଡ୍ଡୀ ଏହାକୁ ନେଇ ପୋଲିସରେ ଏତଲା ରୁଜୁ କରିଥିବା ବେଳେ ଏହି ଟ୍ୱିଟ୍‌ ଏସସି ଓ ଏସଟି ଲୋକଙ୍କ ଅପମାନ ସହ ସମାନ ବୋଲି ଉଲ୍ଲେଖ କରିଛନ୍ତି। ଏଣୁ ଟ୍ୱିଟ୍‌ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିମନ୍ତେ ପୋଲିସକୁ ନିବେଦନ କରିଛନ୍ତି।

ତେବେ ଟ୍ୱିଟ୍‌କୁ ନେଇ ବିବାଦ ଉପୁଜିବା ପରେ ରାମ ଗୋପାଲ ବର୍ମା ଆଉ ଗୋଟିଏ ଟ୍ୱିଟ୍ କରିଛନ୍ତି। ଏଥିରେ କାହାରି ଭାବନାକୁ ଆଘାତ କରିବା ମୋର ଉଦ୍ଦେଶ୍ୟ ନୁହେଁ ବୋଲି ବର୍ମା ଉଲ୍ଲେଖ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ମହା ଭାରତରେ ଦ୍ରୌପଦୀ ମୋ ପସନ୍ଦର ଚରିତ୍ର। କାରଣ ଏହି ନାମ ଏକ ବିରଳ ନାମ। ଏହା ସହ ମୋର ମହାଭାରତର ଅନ୍ୟ ପାତ୍ରମାନେ ମନେ ପଡିଯାଇଥିଲେ ଏଣୁ ଏପରି ଏକ ଟ୍ୱିଟ୍‌ କରିଦେଇଥିଲି ବୋଲି ଉଲ୍ଲେଖ କରିଛନ୍ତି।