କୋହଲିଙ୍କ ଖରାପ ଫର୍ମ ପାଇଁ ରବି ଶାସ୍ତ୍ରୀ ଦାୟୀ

ନୂଆଦିଲ୍ଲୀ (ସଂକେତ ଟିଭି): ପାକିସ୍ତାନର ପୂର୍ବତନ ଉଇକେଟ କିର-ବ୍ୟାଟ୍ସମ୍ୟାନ ରସିଦ ଲତିଫ ବିରାଟ କୋହଲି ଫର୍ମକୁ ନେଇ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି, ବିରାଟ କୋହଲିଙ୍କ ଖରାପ ଫର୍ମର କାରଣ ହେଉଛି ରବି ଶାସ୍ତ୍ରୀ । ଯଦି ଶାସ୍ତ୍ରୀ ଭାରତୀୟ ଦଳର ମୁଖ୍ୟ କୋଚ ହୋଇ ନ ଥାନ୍ତେ, ତେବେ କୋହଲି ଫର୍ମ ହରାଇ ନ ଥାନ୍ତେ ।

ରସିଦ ଲତିଫ ୟୁଟ୍ୟୁବ ଚ୍ୟାନେଲ ‘କଟ୍‌ ବିହାଇଣ୍ଡ୍‌’ରେ କହିଛନ୍ତି, ରବି ଶାସ୍ତ୍ରୀଙ୍କ ଯୋଗୁ ବିରାଟ ଫର୍ମରେ ନାହାଁନ୍ତି । ଅନିଲ କୁମ୍ବଲେଙ୍କ ପରି କିମ୍ବଦନ୍ତୀଙ୍କ ବିଦା କରି ରବି ଶାସ୍ତ୍ରୀ କୋଚ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ଶାସ୍ତ୍ରୀ ଜଣେ କମେଣ୍ଟେଟର ଥିଲେ । ତାଙ୍କର କୋଚିଂ ଦେବାର କୌଣସି ଅଭିଜ୍ଞତା ନ ଥିଲା । ଶାସ୍ତ୍ରୀ ୨୦୧୭ରୁ ୨୦୨୧ ପର୍ଯ୍ୟନ୍ତ ଭାରତୀୟ ଦଳର ମୁଖ୍ୟ କୋଚ ଥିଲେ । ସେ ଭାରତୀୟ ଦଳକୁ କୋଚିଂ ଦେବାରେ କୌଣସି କାର୍ଯ୍ୟ କରି ନାହାଁନ୍ତି । ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଅନ୍ୟତମ ବିରାଟ କୋହଲି ୨ ବର୍ଷରୁ ଅଧିକ ସମୟ ଧରି ଶତକ ହାସଲ କରିନାହାଁନ୍ତି । ସେ ଆଇପିଏଲର ଶେଷ ସିଜନରେ ମଧ୍ୟ ଫ୍ଲପ୍ ହୋଇଥିଲେ ।

ନଭେମ୍ବର ୨୦୧୯ଠାରୁ ବିରାଟ କୌଣସି ଫର୍ମାଟରେ ଏକ ଶତକ ହାସଲ କରିବାରେ ବିଫଳ ହୋଇଛନ୍ତି । ୧୯୯୨ରୁ ୨୦୦୩ ପର୍ଯ୍ୟନ୍ତ ଲତିଫ ପାକିସ୍ତାନ ପାଇଁ ୩୭ଟି ଟେଷ୍ଟ ମ୍ୟାଚ ଏବଂ ୧୬୬ ଟି ଦିନିକିଆ ମ୍ୟାଚ୍ ଖେଳିଥିଲେ । ସେ ଟେଷ୍ଟରେ ୧୩୮୧ ରନ ଏବଂ ଦିନିକିଆରେ ୧୭୦୯ରନ ସ୍କୋର କରିଥିଲେ । ସେ ଉଭୟ ଫର୍ମାଟରେ ମୋଟ ୩୦୧ କ୍ୟାଚ ଏବଂ ୪୯ ଷ୍ଟମ୍ପିଂ ମଧ୍ୟ କରିଥିଲେ ।