ବିଦ୍ରୋହୀ ନେତାଙ୍କୁ ନୁହେଁ କେନ୍ଦ୍ର ସରକାର କଶ୍ମୀରୀ ପଣ୍ଡିତଙ୍କୁ ସୁରକ୍ଷା ଯୋଗାଇବା ଉଚିତ୍: ଆଦିତ୍ୟ ଠାକରେ

ନୂଆଦିଲ୍ଲୀ, (ସଂକେତ ଟିଭି): ଆଜି କେନ୍ଦ୍ର ସରକାର ୧୫ଜଣ ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ‘ୱାଇ+’ ସୁରକ୍ଷା ଯୋଗାଇ ଦେବା ନିଷ୍ପତ୍ତିକୁ ଶିବସେନା ବିରୋଧ କରିଛି । ଶିବସେନା ନେତା ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ଏନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି ଯେ, କେନ୍ଦ୍ର ସରକାର ବିଦ୍ରୋହୀ ନେତାଙ୍କୁ ନୁହେଁ କଶ୍ମୀରୀ ପଣ୍ଡିତଙ୍କୁ ସୁରକ୍ଷା ଯୋଗାଇବା ଉଚିତ୍। ସେମାନଙ୍କୁ ସୁରକ୍ଷାର ଆବଶ୍ୟକତା ରହିଛି। ହେଲେ ସେମାନଙ୍କୁ ସିଆରପିଏଫ ସୁରକ୍ଷା ଦେବା ପରିବର୍ତ୍ତେ କେନ୍ଦ୍ର ସରକାର ବିଦ୍ରୋହୀ ନେତାଙ୍କୁ ସୁରକ୍ଷା ଦେଇଛନ୍ତି। ବିଦ୍ରୋହୀମାନେ ଶିବସେନାର ପ୍ରତୀକ କିମ୍ବା ପାର୍ଟି ପ୍ରତି ଥିବା ଜନତାଙ୍କ ଭଲପାଇବାକୁ ଛଡ଼ାଇ ନେଇ ପାରିବେ ନାହିଁ। ମୁଁ ସେମାନଙ୍କୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚ୍ୟାଲେଞ୍ଜ କରୁଛି, ଆମେ ସେମାନଙ୍କ ବିରୋଧରେ ଠିଆ ହେବୁ।

ସୂଚନା ଅନୁସାରେ ବିଦ୍ରୋହୀ ବିଧାୟକମାନଙ୍କ ପରିବାରବର୍ଗଙ୍କୁ ଯୋଗାଇ ଦିଆଯାଇଥିବା ସୁରକ୍ଷା ପ୍ରତ୍ୟାହାର କରାଯାଇଛି ବୋଲି ଏକନାଥ ସିନ୍ଦେ ଅଭିଯୋଗ କରିଥିଲେ । ଅଭିଯୋଗ ପତ୍ର ଲେଖିବାର ଦିନକ ପରେ କେନ୍ଦ୍ର ସରକାର ଉପରୋକ୍ତ ବ୍ୟବସ୍ଥା କରିଛନ୍ତି।

ରମେଶ ବୋର୍ଣ୍ଣାରେ, ମଙ୍ଗେଶ କୁଡ଼ାଲକର୍‌, ସଞ୍ଜୟ ଶାସ୍ତ୍ରୀ, ଲତାବାଈ ସୋନାୱାନେ, ପ୍ରକାଶ ସୁରୱେ, ସଦାନନ୍ଦ ସର୍ଣ୍ଣାବନକାର, ଯୋଗେଶ ଦାଦା କଦମ, ପ୍ରତାପ ସରନାଇକ, ଯାମିନି ଯାଦବ, ପ୍ରଦୀପ ଜୟସୱାଲ୍‌, ସଞ୍ଜୟ ରାଠୋର୍‌, ଦାଦାଜି ଭୁସେ, ଦିଲୀପ ଲାଣ୍ଡେ, ବାଲାଜି କଲ୍ୟାଣକର, ସନ୍ଦୀପନ ଭୂମାରେ ଆଦି ବିଧାୟକଙ୍କୁ ଉପରୋକ୍ତ ସୁରକ୍ଷା ଯୋଗାଇ ଦିଆଯାଇଛି।