କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ‘ଭୁଲ୍‌ ଭୁଲେୟା ୨’ହେଲା ସୁପରହିଟ୍

ମୁମ୍ବାଇ (ସଂକେତ ଟିଭି): ଯୁବ ସୁପରଷ୍ଟାର କାର୍ତ୍ତିକ ଆର୍ଯ୍ୟନ ତାଙ୍କ ସମ୍ପ୍ରତି ରିଲିଜ୍‌ ଫିଲ୍ମ ‘ଭୁଲ୍‌ ଭୁଲେୟା ୨’ର ସଫଳତା ସହ ପ୍ରମାଣିତ କରିଛନ୍ତି ଯେ ସେ ବକ୍ସ ଅଫିସର ଶେହଜାଦେ । କାର୍ତ୍ତିକଙ୍କ ଏହି ଫିଲ୍ମ ନା କେବଳ ବର୍ଷର ବଡ଼ ଓପନର୍‌, ବରଂ ମହାମାରୀ ପରେ ପ୍ରଥମ ବ୍ଲକବଷ୍ଟର ଫିଲ୍ମ ହୋଇଛି । କେବଳ ସେତିକି ନୁହେଁ କାର୍ତ୍ତିକ ତାଙ୍କ ଫିଲ୍ମ ଜରିଆରେ ଏପର୍ଯ୍ୟନ୍ତ ବକ୍ସ ଅଫିସରେ ଏକ ମଜଭୁତ ସ୍ଥାନ ତିଆରି କରିଛନ୍ତି ଏବଂ ନିକଟରେ ୧୮୦କୋଟିର ଦମଦାର ବ୍ୟବସାୟ ସହ ସେ ଆଗକୁ ବଢୁଛନ୍ତି । ଏହା ବ୍ୟତୀତ ଚଳିତ ବର୍ଷ ବଡ଼ ବଡ଼ ବ୍ୟାନର ତଳେ ନିର୍ମିତ ତଥା ବଡ଼ ଷ୍ଟାର ଅଭିନୀତ ବହୁ ଫିଲ୍ମ ଆସିଥିଲା, କିନ୍ତୁ କାର୍ତ୍ତିକ ସମସ୍ତଙ୍କୁ ପଛରେ ପକାଇ ବି-ଟାଉନର ଏ ଲିଷ୍ଟ ତାରକାଙ୍କ ମଧ୍ୟରେ ସ୍ଥାନ ପକ୍କା କରିଦେଇଛନ୍ତି ।

ନିକଟରେ ଏକ ଇଣ୍ଟରଭୁ୍ୟରେ ଜଣେ ପ୍ରତିଷ୍ଠିତ ସିନେସମୀକ୍ଷକ ‘ଭୁଲ୍‌ ଭୁଲେୟା ୨’ର ସଫଳତା ପାଇଁ କାର୍ତ୍ତିକ ଆର୍ଯ୍ୟନଙ୍କୁ ଶ୍ରେୟ ଦେଇଛନ୍ତି । ସେ କହିଛନ୍ତି, ହରର୍‌ କମେଡି ଫିଲ୍ମରେ ଅକ୍ଷୟ କୁମାରଙ୍କ ସ୍ଥାନରେ କାର୍ତ୍ତିକଙ୍କ ପ୍ରଦର୍ଶନ ସର୍ବୋତ୍ତମ ହୋଇଛି । ଅନ୍ୟପକ୍ଷରେ ଏକ ମାସ ପରେ ମଧ୍ୟ ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଥିବା ଅବିଶ୍ୱସନୀୟ ହୋଇଛି । ଏହା ଉପରେ ପ୍ରତିକ୍ରିୟା ଦେଇ ଏକ୍ସପର୍ଟ କହିଛନ୍ତି, କାର୍ତ୍ତିକ ଆର୍ଯ୍ୟନ ଏକ ସେଲଫମେଡ୍‌ ସୁପରଷ୍ଟାର, ଯିଏ ବଲିଉଡ୍‌ ସ୍ୱପ୍ନ ସହ ଇଣ୍ଡଷ୍ଟ୍ରୀରେ ପ୍ରବେଶ କରିଥିଲେ ଏବଂ ବିନା ଗଡଫାଦରରେ ହିଟ୍‌ ଦେଇ ସମସ୍ତଙ୍କୁ ଚକିତ କରିବାରେ ଲାଗିଛନ୍ତି । ଆଗାମୀ ଦିନରେ କାର୍ତ୍ତିକ ଶେହଜାଦେ ଫିଲ୍ମରେ ନଜର ଆସିବେ । ତାଙ୍କ ସହ କୃତି ସେନନ୍‌ ଅଭିନୟ କରୁଛନ୍ତି । ଏହାସହ ଅପକମିଂ ଲିଷ୍ଟରେ ଫ୍ରେଡି, କ୍ୟାପଟେନ୍‌ ଇଣ୍ଡିଆ ଏବଂ ଆଉ କିଛି ଅନ୍‌ ଟାଇଟଲ୍‌ ଫିଲ୍ମ ସାମିଲ ରହିଛି ।