କେନ୍ଦ୍ର ସରକାର ୧୫ ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ଦେଲେ ‘ୱାଇ+’ସୁରକ୍ଷା

ନୂଆଦିଲ୍ଲୀ (ସଂକେତ ଟିଭି): ଆଜି କେନ୍ଦ୍ର ସରକାର ୧୫ଜଣ ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ‘ୱାଇ+’ ସୁରକ୍ଷା ଯୋଗାଇ ଦେଇଛନ୍ତି। ଏହି ବ୍ୟବସ୍ଥା ଅନୁସାରେ, ସଶସ୍ତ୍ର ‘ସେଣ୍ଟ୍ରାଲ୍‌ ରିଜର୍ଭ ପୋଲିସ୍‌ ଫୋର୍ସ’ (ସିଆର୍‌ପିଏଫ୍‌) କର୍ମଚାରୀ ସେମାନଙ୍କ ସୁରକ୍ଷା ଦାୟିତ୍ବରେ ନିୟୋଜିତ ହେବେ।

ସୂଚନା ଅନୁସାରେ, ରମେଶ ବୋର୍ଣ୍ଣାରେ, ମଙ୍ଗେଶ କୁଡ଼ାଲକର୍‌, ସଞ୍ଜୟ ଶାସ୍ତ୍ରୀ, ଲତାବାଈ ସୋନାୱାନେ, ପ୍ରକାଶ ସୁରୱେ, ସଦାନନ୍ଦ ସର୍ଣ୍ଣାବନକାର, ଯୋଗେଶ ଦାଦା କଦମ, ପ୍ରତାପ ସରନାଇକ, ଯାମିନି ଯାଦବ, ପ୍ରଦୀପ ଜୟସୱାଲ୍‌, ସଞ୍ଜୟ ରାଠୋର୍‌, ଦାଦାଜି ଭୁସେ, ଦିଲୀପ ଲାଣ୍ଡେ, ବାଲାଜି କଲ୍ୟାଣକର, ସନ୍ଦୀପନ ଭୂମାରେ ଆଦି ବିଧାୟକଙ୍କୁ ଉପରୋକ୍ତ ସୁରକ୍ଷା ଯୋଗାଇ ଦିଆଯାଇଛି।। ଏହି ବିଧାୟକମାନେ ଗୌହାଟୀସ୍ଥିତ ରେଡିସନ୍‌ ବ୍ଲୁ ହୋଟେଲ୍‌ରେ ଏକନାଥ ସିନ୍ଦେଙ୍କ ସହିତ ଡେରା ପକାଇଛନ୍ତି। ସି‌ନ୍ଦେଙ୍କର ସମସ୍ତ କ୍ୟାମ୍ପ୍‌ ଅଫିସ୍‌ରେ କଡ଼ା ନିରାପତ୍ତା ବ୍ୟବସ୍ଥା ମୁତୟନ କରାଯାଇଛି।

ବିଦ୍ରୋହୀ ବିଧାୟକମାନଙ୍କ ପରିବାରବର୍ଗଙ୍କୁ ଯୋଗାଇ ଦିଆଯାଇଥିବା ସୁରକ୍ଷା ପ୍ରତ୍ୟାହାର କରାଯାଇଛି ବୋଲି ଏକନାଥ ସିନ୍ଦେ ଅଭିଯୋଗ କରିଥିଲେ । ଏହାର ଦିନକ ପରେ କେନ୍ଦ୍ର ସରକାର ‘ୱାଇ+’ ସୁରକ୍ଷା ଯୋଗାଇ ଦେଇଛନ୍ତି।

ସେପଟେ ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଶିବସେନା ସମର୍ଥକମାନେ ପ୍ରତିବାଦ ପ୍ରଦର୍ଶନ କରୁଛନ୍ତି। ତେଣେ, ମହାରାଷ୍ଟ୍ରରେ ଉଦ୍ଧବ ଠାକ୍‌ରେଙ୍କ ସମର୍ଥକମାନେ କହିଛନ୍ତି, ଯେଉଁମାନେ ଦଳ ପରିତ୍ୟାଗ କରିଛନ୍ତି, ସେମାନେ ବିଶ୍ବାସଘାତକ। ସେମାନେ ଶିବ ସୈନିକ ନୁହନ୍ତି। ଆମେ ସେମାନଙ୍କୁ ଶିବ ପ୍ରସାଦ ଦେବୁ। ପୁଣେରେ ମଧ୍ଯ ଶିବସେନା କର୍ମୀମାନେ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ‘ଜୁତେ ମାରୋ ଆନ୍ଦୋଳନ’ ଚଳାଇଛନ୍ତି।

ଇତିମଧ୍ଯରେ ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ ଆଜି ଡାକ୍ତରଖାନାରୁ ଡିସ୍‌ଚାର୍ଜ ହୋଇଛନ୍ତି । ସେ କରୋନାରେ ପିଡିତ ଥିଲେ । ୪ ଦିନ ପରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି।