ୟୁକ୍ରେନକୁ ପ୍ରାର୍ଥୀ ମାନ୍ୟତା ଦେଲା ଇୟୁ

କିଭ୍ (ସଂକେତ ଟିଭି): ୟୁରୋପୀୟ ୟୁନିୟନର ସଦସ୍ୟତା ନିମନ୍ତେ ୟୁକ୍ରେନର ଆବେଦନକୁ ଇୟୁ ସଚିବାଳୟ ଗ୍ରହଣ କରିଛି । ଏଥିସହିତ ୟୁକ୍ରେନକୁ ଏହା ପ୍ରାର୍ଥୀ ମାନ୍ୟତା ପ୍ରଦାନ କରିଛି । ଏକ ବୈଠକରେ ୟୁରୋପୀୟ ୟୁନିୟନର ନେତୃବୃନ୍ଦ ସମ୍ମିଳିତ ହେବା ସହିତ ୨୭ ରାଷ୍ଟ୍ର ବିଶିଷ୍ଟ ଇୟୁରେ ସାମିଲ ହେବା ନିମନ୍ତେ ୟୁକ୍ରେନକୁ ଆନୁଷ୍ଠାନିକ ଭାବରେ ପ୍ରାର୍ଥୀ ମାନ୍ୟତା ଦେଇଛନ୍ତି ।

ଏହାକୁ କିଭ୍ ପକ୍ଷରୁ ପ୍ରଶଂସା କରାଯିବା ସହିତ ୟୁକ୍ରେନ ପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ ବୋଲି କିଭ୍ ପକ୍ଷରୁ କୁହାଯାଇଛି । ଯଦିଓ ଇୟୁର ଆନୁଷ୍ଠାନିକ ସଦସ୍ୟତା ହାସଲ ନିମନ୍ତେ ୟୁକ୍ରେନକୁ ଦଶବର୍ଷରୁ ଅଧିକ ସମୟ ଲାଗିବ, ତଥାପି ଏହାକୁ ପ୍ରାର୍ଥୀ ଭାବରେ ଗ୍ରହଣ କରିବା ନିଷ୍ପତ୍ତି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ମନେହେଉଛି । ଏହାଦ୍ୱାରା ତତ୍କାଳୀନ ସୋଭିଏତ୍‌ ସଂଘ ମଧ୍ୟକୁ ଇୟୁ ପ୍ରବେଶର ଏହାକୁ ଏକ ପ୍ରତୀକ ଭାବରେ ବିବେଚନା କରାଯାଉଛି ।

ଇୟୁର ବୈଦେଶିକ ନୀତି ବିଭାଗ ମୁଖ୍ୟ ଜୋଶେପ ବୋରେଲ କହିଛନ୍ତି, ୟୁକ୍ରେନ ଜନସାଧାରଣ ୟୁରୋପୀୟ ପରିବାରର ଅଂଶବିଶେଷ । ୟୁକ୍ରେନର ଭବିଷ୍ୟତ ମଧ୍ୟ ଇୟୁ ସହିତ ରହିଛି । ୟୁକ୍ରେନକୁ ପ୍ରାର୍ଥୀ ଭାବରେ ମାନ୍ୟତା ପ୍ରଦାନ ମିଳିତ ଭାବରେ ଆଗକୁ ବଢ଼ିବା ଏବଂ ଦୀର୍ଘ ଯାତ୍ରା କରିବାର ଏକ ଶୁଭାରମ୍ଭ ହୋଇଛି । ଇତିମଧ୍ୟରେ ରୁଷ ସେନା ପୂର୍ବ ୟୁକ୍ରେନରେ ଅଧିକ ଅଞ୍ଚଳ ସେମାନଙ୍କ ନିୟନ୍ତ୍ରଣକୁ ନେଇଛନ୍ତି ।

ଅନ୍ୟପକ୍ଷରେ ୟୁକ୍ରେନ ସୈନ୍ୟମାନେ ଲିସେଚାନସ୍କ ଅଞ୍ଚଳରୁ ପଛକୁ ହଟିବା ଆରମ୍ଭ କରିଛନ୍ତି । ରୁଷ ସୈନ୍ୟ ସେମାନଙ୍କୁ ଘେରିବା ପୂର୍ବରୁ ସେମାନେ ସେଠାରୁ ଚାଲିଯାଇଥିବା ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ୟୁକ୍ରେନ ବିରୋଧରେ ରୁଷ ଚଳାଇଥିବା ଯୁଦ୍ଧରେ ସମ୍ପ୍ରତି ଅନ୍ୟତମ ମୁଖ୍ୟ ରଣଭୂମି ପାଲଟିଥିବା ଲୁହାନସ୍କ ଅଞ୍ଚଳରେ ଏହି ସହର ଅବସ୍ଥିତ ।

ୟୁକ୍ରେନ ସୈନ୍ୟମାନେ ରୁଷ ସୈନ୍ୟଙ୍କୁ ହଟାଇ ଲୋକସୁତିଭକା ଏବଂ ରାଇଓସେକ୍‌ଜାଣ୍ଡ୍ରିକା ଅଞ୍ଚଳ ନିଜ ଦଖଲକୁ ନେଇଛନ୍ତି । ଏଥିସହିତ ସେମାନେ ସେଭରଡନେସ୍କ ପ୍ରଦେଶକୁ ଲାଗିଥିବା ସିରୋଟାଇନକୁ ନିଜ ନିୟନ୍ତ୍ରଣକୁ ଫେରାଇ ଆଣିବା ଉଦ୍ୟମ ଜାରି ରଖିଛନ୍ତି । ଆମେରିକା ପ୍ରଶାସନ ୟୁକ୍ରେନକୁ ଆଉ ୪୫୦ ନିୟୁତ ଡଲାର ମୂଲ୍ୟର ସାମରିକ ସହାୟତା ଯୋଗାଇଦେବାକୁ ଘୋଷଣା କରିଛି । ସେଥିମଧ୍ୟରେ ଅଧିକ ସଂଖ୍ୟକ ମଧ୍ୟମ ଦୂରଗାମୀ ରକେଟ ବ୍ୟବସ୍ଥା ଅନ୍ତର୍ଭୁକ୍ତ । ଏହି ସହାୟତା ମଧ୍ୟରେ ରହିଛି ଚାରିଟି ହାଇ ମୋବିଲିଟି ଆର୍ଟେିଲେରୀ ରକେଟ ସିଷ୍ଟମ ।

ପୂର୍ବରୁ ଏହିଭଳି ଚାରିଟି ବ୍ୟବସ୍ଥା ୟୁକ୍ରେନକୁ ମିଳିସାରିଛି । ସେଗୁଡିକୁ ୟୁରୋପରେ ରଖାଯାଇ ୟୁକ୍ରେନ ସୈନ୍ୟଙ୍କୁ ତାଲିମ ଦେବା କାର୍ଯ୍ୟ ଚାଲିଛି । ଏଭଳି ପରିସ୍ଥିତିରେ ରୋମାନିଆ ବନ୍ଦରରେ ବିପୁଳ ପରିମାଣରେ ୟୁକ୍ରେନ ଗହମ ପହଞ୍ଚିଛି । କୃଷ୍ଣ ସାଗର ତଟରେ ଥିବା ରୋମାନିଆର କନଷ୍ଟାଣ୍ଟା ବନ୍ଦର ଦେଇ ୟୁକ୍ରେନରୁ ଗହମ ରପ୍ତାନି କରାଯାଉଛି ।