ସାଂସଦ ସଞ୍ଜୟ ରାଓ୍ୱତଙ୍କୁ ଇଡିର ନୋଟିସ୍, ଶିବସେନା ଦେଲା କଡା ଜବାବ୍
ନୂଆଦିଲ୍ଲୀ (ସଂକେତ ଟିଭି): ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଶିବସେନା ସାଂସଦ ସଞ୍ଜୟ ରାଓ୍ୱତଙ୍କୁ ନୋଟିସ୍ ଜାରି କରାଯାଇଥିବା । ସଞ୍ଜୟ ରାଓ୍ୱତଙ୍କୁ ଇଡି ପକ୍ଷରୁ ନୋଟିସ୍ ଆସିଛି । ଆସନ୍ତାକାଲି ( ମଙ୍ଗଳବାର ଦିନ) ଦିନ ୧୧ଟା ବେଳେ ଇଡି ଅଫିସରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନା ଅନୁଯାୟୀ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପ୍ରବୀଣ ରାଓ୍ୱତ ଏବଂ ପାତ୍ରା ଚାଓ୍ୱଲଙ୍କ ଜମି ଦୁର୍ନୀତି ପ୍ରସଙ୍ଗରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି । ଏହି ଦୁର୍ନୀତିରେ ପ୍ରାୟ ୧୦୩୪କୋଟି ଟଙ୍କାର ଘୋଟାଲା ହୋଇଛି ବୋଲି ସୂଚନା ରହିଛି । ଏହି ମାମଲାରେ ପୂର୍ବରୁ ସଞ୍ଜନ ରାଓ୍ୱତଙ୍କ ସହଯୋଗୀ ପ୍ରବୀଣ ରାଓ୍ୱତଙ୍କ ୯ କୋଟି ଟଙ୍କା ଏବଂ ସାଂସଦଙ୍କ ପତ୍ନୀଙ୍କର ୨ କୋଟି ଟଙ୍କାର ସମ୍ପତ୍ତି ଇଡି ଜବତ କରିସାରିଛି ।
ସେପଟେ ସମନ ପାଇବା ପରେ ସଞ୍ଜୟ ରାଉତ କହିଛନ୍ତି ଯେ ସେ ଆସନ୍ତାକାଲି ଇଡିରେ ହାଜର ହେବେ ନାହିଁ । ତାଙ୍କ କହିବା ମୁତାବକ, ମୁଁ ଜାଣିଥିଲି ଇଡି ମୋତେ ସମନ ପଠାଇବ। ହେଲେ ମୁଁ ନଇଁବି ନାହିଁ। ବିଦ୍ରୋହୀ ବିଧାୟକମାନେ ଯାହା କରିଛନ୍ତି ମୁଁ ତାହା କେବେ କରିବି ନାହିଁ। ମୁଁ ଇଡି ଡରରେ କେବେ ବି ଗୌହାଟୀ ଯିବି ନାହିଁ। ମୁଁ ବାଲାସାହେବଙ୍କ ସଚ୍ଚା ଶିବ ସୈନିକ ଏବଂ କାଲି ମୁଁ ମୋ ପାର୍ଟି ସହ ରହିବି। ଆସନ୍ତାକାଲି ମୁଁ ଇଡିରେ ହାଜର ହେବି ନାହିଁ। ଏବେ ମୋତେ ମୋ ଦଳକୁ ସମର୍ଥନ କରିବାର ଅଛି। ସେଥିପାଇଁ ମୁଁ ଇଡିକୁ ଅଧିକ ସମୟ ମାଗି ହାଜର ହେବା ପାଇଁ ଅନ୍ୟ ଏକ ତାରିଖ ଦେବା ପାଇଁ ଅନୁରୋଧ କରିବି।
ଏହା ପୂର୍ବରୁ ସମନ୍ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ କହିଥିଲେ, ପ୍ରବର୍ତ୍ତନ ନିର୍ଦେଶାଳୟ ‘ବିଜେପି’ ପ୍ରତି ପ୍ରକୃତ ଭକ୍ତି ପ୍ରଦର୍ଶନ କରୁଛି। ପୂର୍ବରୁ ‘ଟିମ୍ ଠାକ୍ରେ’ ମଧ୍ୟ କହି ଆସୁଥିଲା କି, ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ବିଦ୍ରୋହ ହେଉଛି ‘ଇଡି’, ‘ସିବିଆଇ’ ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ଏଜେନ୍ସିଙ୍କ ଚାପର ପରିଣାମ।