ସୁପ୍ରିମକୋର୍ଟଙ୍କ ରୋକ୍‌, ଜୁଲାଇ ୧୧ପର୍ଯ୍ୟନ୍ତ ଅଯୋଗ୍ୟ ଘୋଷିତ ହୋଇପାରିବେନି ବିଦ୍ରୋହୀ ବିଧାୟକ

ନୂଆଦିଲ୍ଲୀ (ସଂକେତ ଟିଭି): ଆଜି ସୁପ୍ରିମକୋର୍ଟ ମହାରାଷ୍ଟ୍ର ରାଜନୈତିକ ସଂକଟକୁ ନେଇ ଶିବସେନାର ବିଦ୍ରୋହୀମାନଙ୍କ ପକ୍ଷରୁ ଆବେଦନ ଉପରେ ଶୁଣାଣି କରିଥିଲେ । ମହାରାଷ୍ଟ୍ରର ଉପବାଚସ୍ପତି ବିଦ୍ରୋହୀ ବିଧାୟକଙ୍କ ପଦ ରଦ୍ଦ କରିବାକୁ ନୋଟିସ କରିଥିଲେ । ଏହାକୁ ଚ୍ୟାଲେଞ୍ଜ କରି ବିଦ୍ରୋହୀ ବିଧାୟକ ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ । ଏହି ଶୁଣାଣି ସମୟରେ ସୁପ୍ରିମ କୋର୍ଟ ଉପବାଚସ୍ପତିଙ୍କ ନୋଟିସ ଉପରେ ରୋକ୍‌ ଲଗାଇଛନ୍ତି ।

ତେବେ ଦୁଇ ପକ୍ଷର ଯୁକ୍ତି ଶୁଣିବା ପରେ ଏବେ ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେଙ୍କ ଆବେଦନକୁ ନେଇ ସୁପ୍ରିମକୋର୍ଟ ପ୍ରାୟ ସମସ୍ତ ପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି। ସମସ୍ତ ପକ୍ଷଙ୍କୁ ପାଞ୍ଚ ଦିନ ମଧ୍ୟରେ ଦିଆଯାଇଥିବା ନୋଟିସର ଜବାବ ଦେବାକୁ କୁହାଯାଇଛି। ତେବେ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୧ରେ ହେବ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଯେଉଁମାନଙ୍କୁ ନୋଟିସ୍ ଦିଆଯାଇଛି, ସେମାନଙ୍କ ମଧ୍ୟରେ ଉପବାଚସ୍ପତି, ବିଧାନସଭା ସଚିବ, କେନ୍ଦ୍ର ସରକାର, ମହାରାଷ୍ଟ୍ର ପୁଲିସ, ଶିବସେନା ବିଧାୟକ ଦଳର ନେତା ଅଜୟ ଚୌଧୁରୀ, ସୁନୀଲ ପ୍ରଭୁ ଇତ୍ୟାଦି ସାମିଲ ଅଛନ୍ତି।

ଏହି ଶୁଣାଣି ସମୟରେ ଆପଣମାନେ ପ୍ରଥମେ ହାଇକୋର୍ଟକୁ କାହିଁକି ଗଲେନାହିଁ ବୋଲି ସୁପ୍ରିମକୋର୍ଟ ପଚାରିବାରୁ ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଓ ଅନ୍ୟ ବିଧାୟକଙ୍କ ପକ୍ଷରୁ ହାଜର ହୋଇଥିବା ଓକିଲ ନୀରଜ କେ କୌଲ୍‌ କହିଥିଲେ- ମୁମ୍ବାଇରେ ସେମାନଙ୍କ ଜୀବନ ପ୍ରତି ବିପଦ ଅଛି। ଏ ସନ୍ଦର୍ଭରେ ସୁପ୍ରିମକୋର୍ଟ ବିଧାୟକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ମହାରାଷ୍ଟ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବିଦ୍ରୋହ କରି ଶିବସେନାରୁ ଅଲଗା ହୋଇଯାଇଥିବା ବିଧାୟକମାନେ ସୁପ୍ରିମ୍‌ କୋର୍ଟରେ ଦୁଇଟି ପିଟିସନ୍‌ ଦାଖଲ କରିଛନ୍ତି। ଗୋଟିଏ ୧୬ଜଣ ବିଧାୟକଙ୍କୁ ଉପବାଚସ୍ପତି ନରହରି ଜିର୍‌ୱାଲ୍‌ ପଠାଇଥିବା ଆଯୋଗ୍ୟତା ନୋଟିସ୍‌ ଏବଂ ଆରଟି ବିଦ୍ରୋହୀ ବିଧାୟକମାନଙ୍କୁ ଶିବ ସୈନିକମାନେ ଦେଉଥିବା ଧମକ ପ୍ରସଙ୍ଗ। ଆଜି ଏହାର ଶୁଣାଣି କରି ‌ନୋଟିସ ଜାରି କରାଯାଇଥିବା ବେଳେ ଜୁଲାଇ ୧୧ରେ ଏନେଇ ଶୁଣାଣି ହେବ।