ସାରା ଦେଶରେ ଜୁଲାଇ ୧ରୁ ନିଷିଦ୍ଧ ହେବ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍

ନୂଆଦିଲ୍ଲୀ (ସଂକେତ ଟିଭି): ଭାରତରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ( ଥରେ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ) ଆସନ୍ତା ଜୁଲାଇ ୧ରୁ ନିଷିଦ୍ଧ ହେବ । ପରିବେଶ ପ୍ରଦୂଷଣକୁ ରୋକିବା ଓ ନିଜର ଅନ୍ତର୍ଜାତୀୟ ପରିବେଶ ସୁରକ୍ଷା ଲକ୍ଷ୍ୟ ହାସଲ ପାଇଁ ଭାରତ ଏହି ପଦକ୍ଷେପ ନେବାକୁ ଯାଉଛି ।

ସୂଚନାଯୋଗ୍ୟ ଯେ, ପୂର୍ବରୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନେ ଏ ଧରଣର ପ୍ଲାଷ୍ଟିକ ଉପରେ କଟକଣା ଲଗାଇବାକୁ ଉଦ୍ୟମ କରିଥିଲେ ବି ତାହା ବିଶେଷ ଫଳପ୍ରସୂ ହୋଇପାରି ନାହିଁ । ଏଥର ସରକାରଙ୍କ ଉଦ୍ୟମ କେତେ ପ୍ରଭାବୀ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ଆମେ ନିତିଦିନିଆ ଜୀବନରେ ବ୍ୟବହାର କରୁଥିବା ସିଙ୍ଗଲ ୟୁଜ ପ୍ଲାଷ୍ଟିକ ସାମଗ୍ରୀ ମଧ୍ୟରେ ରହିଛି ପ୍ଲାଷ୍ଟିକ ପ୍ଲେଟ୍, ପଲିଥିନ, ପ୍ଲାଷ୍ଟିକ ପାଣି ବୋତଲ, ପ୍ଲାଷ୍ଟିକ୍ ଟ୍ରେ, ପ୍ଲାଷ୍ଟିକ ପତାକା, ସାଜସଜ୍ଜାରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ସାମଗ୍ରୀ ଇତ୍ୟାଦି । ସମଗ୍ର ବିଶ୍ବରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ଏକ ବଡ଼ ପରିବେଶ ସମସ୍ୟା ଭାବେ ଦେଖାଦେଇଛି । ଏହା କେବଳ ସ୍ଥଳଭାଗ ନୁହେଁ, ସମୁଦ୍ରକୁ ମଧ୍ୟ ପ୍ରଦୂଷିତ କରୁଛି ।