ରବିବାର ସୁଦ୍ଧା ମହାରାଷ୍ଟ୍ରରେ ନୂଆ ସରକାର

ମୁମ୍ବାଇ (ସଂକେତ ଟିଭି): ମହାରାଷ୍ଟ୍ରରେ ଲାଗି ରହିଥିବା ରାଜନୀତିକ ସଙ୍କଟକୁ ଦେଖି ବିରୋଧୀ ବିଜେପି ମଧ୍ୟ ରାଜ୍ୟରେ ସରକାର ଗଠନ କରିବାକୁ ତା’ର ରଣନୀତି ଚୂଡ଼ାନ୍ତ କରି ସାରିଥିବା ଜଣାପଡ଼ିଛି। । ମହାବିକାଶ ଅଘାଡି ମେଣ୍ଟ ସହ ସମ୍ପର୍କ ଭାଙ୍ଗିବା ଦାବିରେ ଶିବସେନାର ୪୦ରୁ ଅଧିକ ବିଧାୟକ ବିଦ୍ରୋହ ଘୋଷଣା କରିବା ପରେ ମହାରାଷ୍ଟ୍ରର କ୍ଷମତାସୀନ ଉଦ୍ଧବ ସରକାରଙ୍କ ଆସନ ଟଳମଳ ସ୍ଥିତିରେ ରହିଛି।

ଏହି ରଣନୀତିକୁ ଶେଷ ସ୍ପର୍ଶ ଦେବାକୁ ଆଜି ମହାରାଷ୍ଟ୍ର ବିଧାନସଭାର ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନାଭିସ ଦିଲ୍ଲୀ ମଧ୍ୟ ଯାଇଛନ୍ତି। ଏମିଭିଏ ସରକାର ବିରୋଧରେ ବିଦ୍ରୋହ ଘୋଷଣା କରିବା ପରଠାରୁ ଆସାମର ଗୌହାଟୀରେ ଥିବା ବରିଷ୍ଠ ନେତା ଏକନାଥ ସିନ୍ଦେ ଦିନେ କିମ୍ବା ଦୁଇ ଦିନ ଭିତରେ ମୁମ୍ବାଇରେ ପହଞ୍ଚିବେ।

ଏମଭିଏ ସରକାରଙ୍କ ଠାରୁ ଶିବସେନାର ୪୦ ଜଣ ବିଧାୟକ ସମର୍ଥନ ପ୍ରତ୍ୟାହାର କରି ସାରିଥିବାରୁ ଶ୍ରୀ ସିନ୍ଦେ ରାଜ୍ୟପାଳ ଭଗତ ସିଂହ କୋଶୟାରୀଙ୍କୁ ଭେଟିବେ। ଏହି ସମୟରେ ସେ ଆସ୍ଥା ଭୋଟ ତୁରନ୍ତ ଆୟୋଜନ କରିବାକୁ ଦାବି କରିବେ। ସେହିପରି ବିଜେପି ମଧ୍ୟ ରାଜ୍ୟପାଳଙ୍କୁ ସ୍ୱତନ୍ତ୍ର ଭାବେ ଚିଠି ଲେଖି ଆସ୍ଥା ଭୋଟ ପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଦାବି ଜଣାଇବ।

ସେପଟେ ବିଦ୍ରୋହୀ ବିଧାୟକଙ୍କ ପରେ ଏବେ ଶିବସେନାର ସାଂସଦଙ୍କ ପାଳି ପଡିଛି। ଶିବସେନାର ପ୍ରାୟ ୧୮ରୁ ୧୪ ଜଣ ସାଂସଦ ଏକନାଥ ସିନ୍ଦେ ଓ ବିଜେପି ସହ ଯୋଗଯୋଗରେ ଥିବା ଏକ ସୂତ୍ରରୁ ଜଣାପଡିଛି। ପୂର୍ବରୁ ସିନ୍ଦେଙ୍କ ବିଦ୍ରୋହୀ ଗୋଷ୍ଠୀ ୪୦ ବିଧାୟକଙ୍କ ସମର୍ଥନ ଥିବା ଦାବି କରିସାରିଛି। ଏବେ ଯଦି ୧୮ ସାଂସଦଙ୍କ ମଧ୍ୟରୁ ୧୪ ଜଣ ସାଂସଦ ସିନ୍ଦେଙ୍କ ଗୋଷ୍ଠୀରେ ସାମିଲ ହୁଅନ୍ତି ତେବେ ଉଦ୍ଧବ ଠାକରେଙ୍କ ଅଡୁଆ ବଢ଼ିପାରେ। ଶିବସେନା ଉପରେ ନିୟନ୍ତ୍ରଣ ବଜାୟ ରଖିବା ତାଙ୍କ ପାଇଁ ମୁସକିଲ ହୋଇପାରେ। ଯଦି ଏହା ଘଟେ, ତେବେ ଶିବସେନାର ପତାକା ଏବଂ ଏହାର ନିର୍ବାଚନ ଚିହ୍ନକୁ ନେଇ ସିନ୍ଦେ କରୁଥିବା ଦାବି ଅଧିକ ଶକ୍ତିଶାଳୀ ହୋଇଯିବ।

ଏହାରି ଭିତିରେ ଆକ୍ସନ ମୋଡକୁ ଆସିଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ। ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କେଶିୟାରୀ ଉଦ୍ଧବ ସରକାରଙ୍କୁ ୩ ଦିନର ରିପୋର୍ଟ ମାଗିଛନ୍ତି।

ସେ ଉଦ୍ଧବ ଠାକରେଙ୍କୁ ଗତ ତିନି ଦିନର ଫାଇଲଗୁଡ଼ିକର ହିସାବ କିତାବ ଦେବା ପାଇଁ କହିଛନ୍ତି। ରାଜ୍ୟପାଳ ମହାରାଷ୍ଟ୍ର ସରକାରଙ୍କ କିଛି ଆଦେଶକୁ ଖଣ୍ଡନ ମଧ୍ୟ କରିପାରନ୍ତି ବୋଲି ଅନୁମାନ କରାଯାଉଛି। ଏଭଳି ପରିସ୍ଥିତିରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କ ମଧ୍ୟରେ ବିବାଦ ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ର ରାଜନୀତିକ ସଙ୍କଟ ମଧ୍ୟରେ ରାଜ୍ୟପାଳ କେଶିୟାରୀ କରୋନାରେ ସଂକ୍ରମଣ ହୋଇଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଦୁଇ ଦିନ ପୂର୍ବେ ତଥା ଜୁନ ୨୬ରେ ସେ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।