ରୋହିତଙ୍କୁ ଟି ୨୦ ନେତୃତ୍ବରୁ ବିରତ କରାଯିବା ଉଚିତ : ବିରେନ୍ଦ୍ର ସେହ୍ବାଗ

ନୂଆଦିଲ୍ଲୀ (ସଂକେତ ଟିଭି): ପୂର୍ବତନ ଭାରତୀୟ କ୍ରିକେଟର ବିରେନ୍ଦ୍ର ସେହ୍ୱାଗ କହଛନ୍ତି ଯେ ରୋହିତ ଶର୍ମାଙ୍କୁ ତିନି ଫର୍ମାଟର ଅଧିନାୟକ ଦାୟିତ୍ୱ ଦେଲେ ସେ ନିଶ୍ଚିତ ଅଧିକ ଭାରାକ୍ରାନ୍ତ ହେବେ । ତେଣୁ ରୋହିତଙ୍କୁ କେବଳ ଟେଷ୍ଟ ଓ ଦିନିକିଆ ଫର୍ମାଟର ଅଧିନାୟକ ଦାୟିତ୍ୱ ଦେଇ ଅନ୍ୟ କାହାକୁ ଟି-୨୦ ପାଇଁ ଅଧିନାୟକ କରାଗଲେ ଭଲ ହେବ ବୋଲି ମୁଁ ଅନୁଭବ କରୁଛି । କାରଣ ଜଣେ ଖେଳାଳି ତିନି ଫର୍ମାଟର ଅଧିନ଼ାୟକ ହେଲେ ଆହତ ସମସ୍ୟା ରହିଛି । ତେଣୁ ଦଳର ସ୍ୱାର୍ଥ ଖେଳାଳିଙ୍କ ୱାର୍କଲୋଡ ଦୃଷ୍ଟିରୁ ଦୁଇ ଜଣଙ୍କୁ ଅଧିନ଼ାୟକ କରାଗଲେ ରୋହିତ ଚାପ ମୁକ୍ତ ହୋଇ ଟେଷ୍ଟ ଓ ଦିନିକିଆରେ ଦଳର ନେତୃତ୍ୱ ନେଇ ପାରିବେ ।

ତେବେ ବିସିସିଆଇ ଯଦି ବର୍ତ୍ତମାନର ନୀତି ଦୃଷ୍ଟିରୁ ଜଣେ ଖେଳାଳିଙ୍କୁ ତିନି ଫର୍ମାଟର ଅଧିନ଼ାୟକ ଦାୟିତ୍ୱ ଦେବା ପାଇଁ ଇଛା କରିବେ ,ତେବେ ରୋହିତ ଶର୍ମା ହିଁ ଉପଯୁକ୍ତ । ମାତ୍ର ରୋହିତଙ୍କ ଉପରୁ ଚାପ ହ୍ରାସ କରିବା ପାଇଁ ଚିନ୍ତା କଲେ ଅନ୍ୟ କାହାକୁ ଟି-୨୦ ଫର୍ମାଟର ଅଧିନ଼ାୟକ କରାଗଲେ ନିଶ୍ଚିତ ଭଲ ହେବ ।

ସୋନି ସ୍ପୋର୍ଟ୍ସ ସହିତ ମତ ବିନିମୟ କରିବା ବେଳେ ସେହ୍ୱାଗ କହିଛନ୍ତି ଯେ ୧୯୯୭ରେ ଏହି ଧାରା ଅଷ୍ଟ୍ରେଲିଆ କ୍ରିକେଟରେ ଆରମ୍ଭ ହୋଇ ଥିଲା । ସେତେବେଳେ ଷ୍ଟିଭ ୱ ଅଷ୍ଟ୍ରେଲିଆ ଦିନିକିଆ ଦଳର ଅଧିନାୟକ ଥିବା ବେଳେ ମାର୍କ ଟେଲର ଟେଷ୍ଟ ଦଳର ନେତୃତ୍ୱ ନେଉଥିଲେ । ସେହିପରି ଇଂଲଣ୍ଡ କ୍ରିକେଟ ଏହି ପନ୍ଥା ଅନୁସରଣ କରି ଜୋ ରୁଟଙ୍କୁ ଟେଷ୍ଟ ଓ ଇଓନ ମୋର୍ଗାନଙ୍କୁ ସୀମିତ ଓଭର ଫର୍ମାଟର ଅଧିନାୟକ ନିଯୁକ୍ତ କରିଥିଲା । ଏହି ପଦ୍ଧତି ଅବଲମ୍ବନ ଦ୍ୱାରା ଉଭୟ ଦଳର ପ୍ରଦର୍ଶନ ଆଶାନୁରୂପ ହୋଇ ପାରିଥିଲା । ଅବଶ୍ୟ ଭାରତୀୟ କ୍ରିକେଟ ନୀତି ସମ୍ପୂର୍ଣ୍ଣ ଅଲଗା । କାରଣ ମହେନ୍ଦ୍ର ସିଂ ଧୋନି ଓ ବିରାଟ କୋହଲି ବହୁଦିନ ଧରି ତିନି ଫର୍ମାଟର ନେତୃତ୍ୱ ନେଇଥିଲେ ।

ସେହିପରି କୋହଲି ଅଧିନାୟକ ଦାୟିତ୍ୱରୁ ଦୂରେଇ ଯିବା ପରେ ବର୍ତ୍ତମାନ ରୋହିତଙ୍କୁ ତିନି ଫର୍ମାଟର ଅଧିନାୟକ ନିଯୁକ୍ତ କରା ଯାଇଛି । ଅବଶ୍ୟ ଏକଦା ପୂର୍ବତନ ଅଧିନାୟକ କପିଳ ଦେବ କହି ଥିଲେ ଯେ ଦୁଇ ଜଣଙ୍କୁ ଅଧିନାୟକ ନିଯୁକ୍ତି କରିବା ଆମ ଭାରତୀୟ କ୍ରିକେଟର ସଂସ୍କୃତିରେ ନାହିଁ । ଅବଶ୍ୟ ଆଉ ଅଳ୍ପ ଦିନ ପରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବ ଟି-୨୦ ବିଶ୍ୱକପ । ତେଣୁ ବର୍ତ୍ତମାନ ପରିସ୍ଥିତିରେ ହଠାତ ଅଧିନାୟକ ପରିବର୍ତ୍ତନ ସମ୍ଭବ ନୁହେଁ । ତେବେ ଭବିଷ୍ୟତରେ ରୋହିତଙ୍କ ଉପରୁ ୱାର୍କଲୋଡ ହଟାଇବା ପାଇଁ ଅନ୍ୟ କାହାକୁ ଟି-୨୦ ଫର୍ମାଟର ଅଧିନାୟକ ନିଯୁକ୍ତ କରାଗଲେ ଭଲ ହେବ ବୋଲି ଭାବୁଛି ।

ଆଗାମୀ ଟି- ୨୦ ବିଶ୍ୱକପ ସମ୍ପର୍କରେ ନିଜର ମତ ଦେଇ ସେହ୍ୱାଗ କହିଛନ୍ତି ଯେ ରୋହିତ ଶର୍ମାଙ୍କ ସହିତ ଇଶାନ କିଶାନ ଓ କେଏଲ ରାହୁଲ ହେଉଛନ୍ତି ପ୍ରଥମ ପସନ୍ଦ । ଏହା ବ୍ୟତିତ ବିରାଟ କୋହଲି ବରାବର ତୃତୀୟ ସ୍ଥାନରେ ବ୍ୟାଟିଂ କରିବେ । ସେହିରି ମହମଦ ସାମି ଓ ଯଶପ୍ରୀତ ବୁମରାଙ୍କ ସହିତ ଯୁବ ପେସ୍‌ ବୋଲର ଉମ୍ରନ ମାଲିକ ଦଳରେ ସାମିଲ ହେଲେ ଭାରତୀୟ ପେସ୍‌ ଲାଇନ ଅଧି ପ୍ରଭାବୀ ହୋଇ ପାରିବ । କାରଣ ଏମାନଙ୍କ ସହିତ ଅଭିଜ୍ଞ ପେସ୍‌ ବୋଲର ଭୁବନେଶ୍ୱର କୁମାର ମଧ୍ୟ ଅଛନ୍ତି ।