ଗୌହାଟୀରୁ ଗୋଆ ଅଭିମୁଖେ ମହାରାଷ୍ଟ୍ର ବିଦ୍ରୋହୀ ବିଧାୟକ, ବୁକ୍ ହେଲା ତାଜ ହୋଟେଲ

ମୁମ୍ବାଇ (ସଂକେତ ଟିଭି): ଗୌହାଟୀର ଏକ ପଞ୍ଚତାରକା ହୋଟେଲରେ ଥିବା ମହାରାଷ୍ଟ୍ର ଏକନାଥ ସିନ୍ଧେଙ୍କ ନେତୃତ୍ବାଧୀନ ବିଦ୍ରୋହୀ ବିଧାୟକମାନେ ଫ୍ଲୋର ଟେଷ୍ଟ ପାଇଁ ମୁମ୍ବାଇ ଫେରିବେ । ସେମାନେ ସିଧାସଳଖ ମୁମ୍ବାଇ ନଫେରି ଆଜି ଗୋଆରେ ପହଞ୍ଚିବେ ଓ ଆସନ୍ତାକାଲି ପୂର୍ବାହ୍ନରେ ସେଠାରୁ ମୁମ୍ବାଇ ଅଭିମୁଖେ ଯାତ୍ରା ଆରମ୍ଭ କରିବେ ।

ଆଜି ଅପରାହ୍ନ ପ୍ରାୟ 5ଟା ବେଳେ ସେମାନେ ଗୌହାଟୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଗୋଆ ଅଭିମୁଖେ ଉଡାଣ ଭରିଛନ୍ତି । ଏଥିପାଇଁ ବିମାନ ବନ୍ଦର ପରିସରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ବିମାନ ବନ୍ଦରରେ ପହଞ୍ଚିବା ପରେ ବିଦ୍ରୋହୀ ବିଧାୟକମାନେ ଏକନାଥ ସିନ୍ଦେ ଆଗେ ବଢୋ ହମ୍ ତୁମହାରା ସାଥ ହେ ଏବଂ ଛତ୍ରପତି ଶିବାଜୀ ମହାରାଜ୍ କି ଜୟ ଶ୍ଲୋଗାନ ଦେଇଥିଲେ ।

ହୋଟେଲ ରାଡିସନ ବ୍ଲୁରୁ ବିଧାୟକମାନେ ବାହାରି ବିମାନ ବନ୍ଦରରେ ପହଞ୍ଚିଥିଲେ । ସମସ୍ତ ବିଧାୟକ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇ ଯାତ୍ରା କରିଥିଲେ । ସେଠାରୁ ସେମାନେ ଗୋଆରେ ପହଞ୍ଚିବା ପରେ ତାଜ ହୋଟେଲରେ ପହଞ୍ଚି ରାତ୍ରୀଯାପନ କରିବେ । ଏଥିପାଇଁ ପୂର୍ବ ପ୍ରସ୍ତୁତି ମଧ୍ୟ ସରିଛି । ତାଜ ହୋଟଲରେ 70ଟି ରୁମ ମଧ୍ୟ ବୁକ ହୋଇସାରିଥିବା ସୂଚନା ମିଳିଛି । ଗୁଆହାଟୀର ବିମାନ ବନ୍ଦର ବାହାରେ ଅତିରିକ୍ତ ସୁରକ୍ଷା ବଳ ମୁତୟନ କରାଯାଇଥିଲା । ଗତ 20 ତାରିଖରେ ସେମାନେ ସୁରଟରୁ ଗୌହାଟୀରେ ପହଞ୍ଚିବା ପରେ ସେଠାରେ ହିଁ ରହିଛନ୍ତି ।