ନ୍ୟୁଜିଲାଣ୍ଡ ଗସ୍ତରେ ଯିବ ଭାରତୀୟ ଦଳ

ନୂଆଦିଲ୍ଲୀ (ସଂକେତ ଟିଭି): ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପରେ ଟିମ ଇଣ୍ଡିଆ ତିନିଟି ଦିନିକିଆ ଏବଂ ତିନୋଟି ଟି-୨୦ ମ୍ୟାଚ ପାଇଁ ନ୍ୟୁଜିଲାଣ୍ଡ ଗସ୍ତ କରିବ । ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ସିରିଜ ନଭେମ୍ବର ୧୮ରୁ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏବଂ ଆସନ୍ତା ବର୍ଷ ଜାନୁୟାରୀ ମାସରେ ନ୍ୟୁଜିଲାଣ୍ଡ ଭାରତ ଗସ୍ତ କରିବ । ୨୦୨୧ ଟି-୨୦ ବିଶ୍ୱକପ ପରେ ନ୍ୟୁଜିଲାଣ୍ଡ ଦଳ ଭାରତ ଗସ୍ତ କରିଥିଲା । ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡ ଯାଇ ୨୦୨୨ ଟି-୨୦ ବିଶ୍ୱକପ ପରେ ଦିନିକିଆ ଏବଂ ଟି- ୨୦ ସିରିଜ ଖେଳିବ ।

ବର୍ତ୍ତମାନ ଭାରତର ଦୁଇଟି ଦଳ ଅନ୍ତର୍ଜାତୀୟ ସିରିଜ ଖେଳୁଛନ୍ତି । ହାର୍ଦ୍ଦିକଙ୍କ ନେତୃତ୍ୱରେ ବି ଦଳ ଆଜି ଆୟାରଲାଣ୍ଡ ବିପକ୍ଷରେ ଶେଷ ମ୍ୟାଚ ଖେଳି ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବ । ଏଥି ସହିତ ମୁଖ୍ୟ ଦଳ ଇଂଲଣ୍ଡ ବିକ୍ଷ ଟେଷ୍ଟ ମ୍ୟାଚ ପାଇଁ ପ୍ରସ୍ତୁତ ହୋଇସାରିଛି । ଏହି ଟେଷ୍ଟ ଜୁଲାଇ ୧ରୁ ଜୁଲାଇ ୫ ପର୍ଯ୍ୟନ୍ତ ଖେଳାଯିବ । ଏହା ପରେ ତିନୋଟି ଦିନିକିଆ ଏବଂ ତିନୋଟି ଟି -୨୦ ମ୍ୟାଚ ଖେଳାଯିବ । ଇଂଲଣ୍ଡ ପରେ ଭାରତକୁ ୱେଷ୍ଟଇଣ୍ଡିଜ ଗସ୍ତ କରିବାକୁ ପଡିବ । ସେଠାରେ ସେମାନଙ୍କୁ ତିନୋଟି ଦିନିକିଆ ଏବଂ ପାଞ୍ଚ ଟି-୨୦ ମ୍ୟାଚ ଖେଳିବାକୁ ପଡିବ । ଟି୨୦ ବିଶ୍ୱକପ୍ ଅକ୍ଟୋବର ୧୬ରୁ ଆରମ୍ଭ ହେବ । ଫାଇନାଲ ମୁକାବିଲା ନଭେମ୍ବର ୧୩ରେ ଖେଳାଯିବ । ଯଦି ଭାରତ ଫାଇନାଲରେ ପ୍ରବେଶ କରେ ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ପାଇଁ ଦଳକୁ ୫ ଦିନ ସମୟ ମିଳିବ ।

ନ୍ୟୁଜିଲାଣ୍ଡ ବନାମ ଭାରତ
ନଭେମ୍ବର ୧୮-ପ୍ରଥମ ଟି୨୦
ନଭେମ୍ବର ୨୦- ଦ୍ୱିତୀୟ ଟି୨୦
ନଭେମ୍ବର ୨୨- ତୃତୀୟ ଟି୨୦

ଦିନିକିଆ ସିରିଜ୍‌
ନଭେମ୍ବର ୨୫- ପ୍ରଥମ ଦିନିକିଆ
ନଭେମ୍ବର ୨୭- ଦ୍ୱିତୀୟ ଦିନିକିଆ
ନଭେମ୍ବର ୩୦- ତୃତୀୟ ଦିନିକିଆ