ପିଇବାପାଣି ପାଇଁ ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ବରଗଡ (ସଂକେତ ଟିଭି): ପିଇବାପାଣି ପାଇଁ ବରଗଡ଼ ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ଲୋହାରପାଲି ପଞ୍ଚାୟତର ଗମ୍ଭାରିଡ଼ିହି ଗ୍ରାମରେ ଜଣେ ମହିଳାଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଗମ୍ଭାରିଡ଼ିହି ଗ୍ରାମର ଜଣେ ମହିଳା ନଳକୂପକୁ ପାଣି ପାଇଁ ଯାଇଥିଲେ । ସେହି ସମୟରେ ଦେବାଶିଷ ବାରିକ ନାମକ ଜଣେ ବ୍ୟକ୍ତି ଟାଙ୍ଗିଆ ଧରି ଛିଡା ହୋଇଥିଲା । ପାଣି ପାଇଁ ଉକ୍ତ ମହିଳା ଓ ଦେବାଶିଷଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ଦେବାଶିଷ ରାଗରେ ମହିଳାଙ୍କୁ ଟାଙ୍ଗିଆରେ ଆକ୍ରମଣ କରି ଅତି ନିର୍ମମ ଭାବେ ହତ୍ୟା କରିଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଖବର ପାଇ ପଦ୍ମପୁର ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିଛି । ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ଏହି ଘଟଣା ପୋଲିସ ଦେବାଶିଷକୁ ଅଟକ ରଖିବା ସହ ତଦନ୍ତ ଜାରି ରଖିଛି ।