ଅନ୍‌ଲାଇନ୍ ବ୍ଲଗିଂ କରି ହେଲେ କୋଟିପତି

ନୂଆଦିଲ୍ଲୀ (ସଂକେତ ଟିଭି) : ବିହାରର ଛାପ୍ରା ଜିଲ୍ଲାର ବନସୋହି ଗ୍ରାମର ଜଣେ ଯୁବକଙ୍କ କହିବାନୁଯାୟୀ ସେ ଅନ୍‌ଲାଇନ୍ ବ୍ଲଗିଂ କରି କୋଟିପତି ବନି ପାରିଛନ୍ତି । ଯୁବକ ଜଣକ ହେଉଛନ୍ତି ବିକାଶ କୁମାର ।

ନିକଟରେ ଏକ ସାକ୍ଷାତ୍‌କାରରେ ବିକାଶ କହିଛନ୍ତି ଯେ ସେ ଏକ ବ୍ଲଗିଂ ୱେବ୍‌ସାଇଟ୍ ତିଆରି କରି ତାହାକୁ ବିକ୍ରି କରିବା ପରେ କୋଟିପତି ହୋଇପାରିଛନ୍ତି । ତାଙ୍କ କହିବା କଥା ହେଉଛି ୨୫ ବର୍ଷ ବୟସ ହେବା ପୂର୍ବରୁ ହିଁ ସେ ଜଣେ କୋଟିପତି ବନି ପାରିଛନ୍ତି । ଏବେ ବି ସେ କିଛି ବ୍ଲଗ୍ ଉପରେ କାମ କରୁଛନ୍ତି । ଏହାଛଡ଼ା ସେ ଆପ୍ ଡେଭ୍‌ଲପ୍ ବି କରୁଛନ୍ତି ।

ବିଟେକ୍ କରିବା ପରେ ଆଜି ପର୍ଯ୍ୟନ୍ତ ସେ କୌଣସି ପ୍ରକାରର ଚାକିରି କରିନାହାନ୍ତି । ହେଲେ ବି ଖୁବ୍ କମ୍ ବୟସ ମଧ୍ୟରେ ସେ ଜଣେ କୋଟିପତି ବନି ନିଜ ଦକ୍ଷତାର ପରିଚୟ ଦେଇ ସାରିଛନ୍ତି । ସେ ଆଗକୁ ଚାକିରି କରିବେ ବୋଲି ତାଙ୍କ ସାକ୍ଷାତ୍‌କାରରେ କହିଛନ୍ତି । ତାଙ୍କ ପରିବାରର ଆର୍ଥିକ ସ୍ଥିତି ସେତେ ଭଲ ନଥିଲା । ମାତ୍ର ତାଙ୍କ ବ୍ଲଗିଂ କରିବା ଦକ୍ଷତା ତାଙ୍କ ଅବସ୍ଥାକୁ ସୁଧାରିବାରେ ସହାୟକ ହୋଇଛି । ସେ ଏବେ ତାଙ୍କ ଗାଁରେ ଏକ ସୁନ୍ଦର ଘରଟିଏ ବି କରି ସାରିଛନ୍ତି ।

ବିଟେକ୍ ତୃତୀୟ ସେମିଷ୍ଟାରରୁ ହିଁ ସେ ଆର୍ଟିକିଲ୍‌ ଲେଖି ଟଙ୍କା ରୋଜଗାର କରିବା ଆରମ୍ଭ କରି ଦେଇଥିଲେ । ଯେଉଁଥିରେ ତାଙ୍କ ହାତ ଖର୍ଚ୍ଚ ଉଠି ଯାଉଥିଲା । ସେ ପାଠ ପଢ଼ିବା ପାଇଁ ଋଣ କରିଥିଲେ । ପାଠ ପଢ଼ିବା ବେଳେ ଋଣ ଚିନ୍ତା ସବୁବେଳେ ତାଙ୍କ ମୁଣ୍ଡରେ ରହୁଥିଲା । ମାତ୍ର ତାଙ୍କର ଏହି ଅନ୍‌ଲାଇନ୍‌ କାର୍ଯ୍ୟ ସେ ସବୁ ଚିନ୍ତାକୁ ଦୂର କରିଦେଲା ।