ଗାଁ ବଇଦଙ୍କ ଠାରୁ ଚିକିତ୍ସା କରାଉଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ ଧୋନୀ

ରାଞ୍ଚି (ସଂକେତ ଟିଭି) : ମହେନ୍ଦ୍ରର ସିଂହ ଧୋନୀ ତାଙ୍କ ଆଣ୍ଠୁ ସମସ୍ୟାରେ ପୀଡ଼ିତ ଅଛନ୍ତି। ଆଉ ଏଥିପାଇଁ ସେ କୌଣସି ବଡ଼ ହସ୍‌ପିଟାଲ୍‌ରେ ନିଜର ଚିକିତ୍ସା କରାଉ ନାହାନ୍ତି। ବରଂ ଗାଁ ବଇଦ ତାଙ୍କର ଚିକିତ୍ସା କରୁଛନ୍ତି। ଧୋନୀ ନିଜେ ବଇଦଙ୍କ ପାଖକୁ ଯାଇ ଆଣ୍ଠୁର ଚିକିତ୍ସା କରାଉଛନ୍ତି।

ରାଞ୍ଚିରେ ଏହି ବଇଦ ଜଣଙ୍କ ଆୟୁର୍ବେଦ ଚିକିତ୍ସାର ଅଭ୍ୟାସ କରୁଛନ୍ତି। ଉକ୍ତ ଏରିଆରେ ସେ ଖୁବ୍ ପ୍ରତିଷ୍ଠିତ ଆୟୁର୍ବେଦିକ ବଇଦ ବୋଲି ତାଙ୍କର ନାଁ ରହିଛି। ଏବଂ ଧୋନୀ ତାଙ୍କ ପାଖକୁ ଯାଇ ନିଜର ଚିକିତ୍ସା କରାଉଛନ୍ତି। ବଇଦ ବନ୍ଦନ ସିଂହ ରୋଗୀଙ୍କୁ ଜଡ଼ିବୁଟି ମିଶ୍ରିତ କ୍ଷୀର ଖାଇବାକୁ କହୁଛନ୍ତି। ଧୋନୀଙ୍କ ଚିକିତ୍ସା ନେଇ ବନ୍ଦନ କହିଛନ୍ତି ଧୋନୀ ଗୋଟିଏ ମାସ ପୂର୍ବରୁ ଔଷଧର ଗୋଟିଏ ଡୋଜ୍ ନେଇଛନ୍ତି। ତେବେ ପରବର୍ତ୍ତୀ ମାସରେ ସେ କେବେ ଔଷଧ ନେବାକୁ ଆସିବେ ସେ ନେଇ ସେ କିଛି ସ୍ପଷ୍ଟ କରି ନାହାନ୍ତି ବୋଲି ବନ୍ଦନ ସିଂହ କହିଛନ୍ତି।

ତେବେ ଧୋନୀ ତାଙ୍କ ପାଖକୁ ଚିକିତ୍ସା ପାଇଁ ଆସିବା ସମୟରେ ସେ ଏକ ମଜାଦାର ଘଟଣା ଶେୟାର କରିଛନ୍ତି। ଧୋନୀ ଯେତେବେଳେ ତାଙ୍କ ପାଖକୁ ଚିକିତ୍ସା ପାଇଁ ଆସିଥିଲେ। ସେ ଚିହ୍ନିପାରି ନଥିଲେ। ପୂର୍ବରୁ ଧୋନୀଙ୍କ ବିଷୟରେ ଜାଣିଥିଲେ ବି ତାଙ୍କୁ ଚିହ୍ନିପାରି ନଥିଲେ। ସ୍ଥାନୀୟ ଲୋକ ଧୋନୀଙ୍କ ସହ ଫଟୋ ଉଠାଇବା ପରେ ସେ ଜାଣିବାକୁ ପାଇଥିଲେ ବୋଲି ବନ୍ଦନ ସିଂହ କହିଛନ୍ତି।

ଟାଇମ୍ସ ନାଓଁର ଏକ ରିପୋର୍ଟ ଅନୁସାରେ ଧୋନୀଙ୍କ ବାପାମା ଏହି ଆୟୁର୍ବେଦିକ ବଇଦଙ୍କ ପାଖକୁ ଯାଉଥିଲେ। ଏହାର ଦୁଇ-ତିନି ମାସ ପରେ ଧୋନୀ ମଧ୍ୟ ତାଙ୍କ ଅଭିଯୋଗ ନେଇ ବୈଦଙ୍କ ପାଖକୁ ଯାଇଥିଲେ। ଉଭୟ ଆଣ୍ଠୁରେ ସମସ୍ୟା ଥିବା ଧୋନୀ ବୈଦଙ୍କୁ କହିବା ପରେ ତାଙ୍କୁ ଔଷଧର ଡୋଜ୍ ଦିଆଯାଇଥିଲା। ତେବେ ପରବର୍ତ୍ତି ଡୋଜ୍ ନେବାକୁ ଧୋନୀ କେବେ ଆସିବେ ସେ ନେଇ କିଛି ସୂଚନା ଦେଇନଥିବା ବନ୍ଦନ ସିଂହ କହିଛନ୍ତି।