ଫଡ଼ନଭିସ୍‌ଙ୍କୁ କାହିଁକି ମୁଖ୍ୟମନ୍ତ୍ରୀ ପଦରୁ ଦୂରେଇ ରଖିଲା ବିଜେପି ?

ମୁମ୍ବାଇ (ସଂକେତ ଟିଭି) : ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ବିଜେପି ସମର୍ଥନ ବଳରେ ଗୁରୁବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଛନ୍ତି ଏକନାଥ ସିନ୍ଦେ । ସିନ୍ଦେ-ଫଡ଼ନଭିସ୍ ସମୀକରଣ ମହାରାଷ୍ଟ୍ର ରାଜନୀତିରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି । ତଥାପି ବି ଏତେସବୁ ଭିତରେ ଜୁଲାଇ ୧୨ଯାଏଁ କେଁ ରହିଛି । ମୁଖ୍ୟମନ୍ତ୍ରୀ ଭାବେ ଏକନାଥ ସିନ୍ଦେ ଗାଦିରେ ବସିଥିଲେ ବି ଯଦି ସୁପ୍ରିମ୍‌କୋର୍ଟର ଗୋଟିଏ ନିଷ୍ପତ୍ତି ତାଙ୍କ ବିରୋଧରେ ଆସେ ତେବେ କ୍ଷଣିକରେ ସବୁ ଓଲଟପାଲଟ ହୋଇଯିବ । ଆଉ ଖାସ୍ ଏଇଥିପାଇଁ ବୋଧେ ବିଜେପି ଜାଣିଶୁଣି ମୁଖ୍ୟମନ୍ତ୍ରୀ ଭାବେ ଫଡନଭିସ୍‌ଙ୍କୁ ଦୂରେଇ ରଖିଲା ବୋଲି ଆଲୋଚନା ହେଉଛି ।

ଯଦି ଆଇନ୍‌କାନୁନ୍‌ର ପ୍ରାବଧାନକୁ ତର୍ଜମା କରାଯାଏ ତେବେ ବର୍ତ୍ତମାନ ଏକନାଥ ସିନ୍ଦେଙ୍କୁ ମହାରାଷ୍ଟ୍ରର କାମଚଳା ମୁଖ୍ୟମନ୍ତ୍ରୀ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । କାରଣ ସିନ୍ଦେ ସମର୍ଥକ ବିଧାୟକଙ୍କୁ ସୁପ୍ରିମ୍‌କୋର୍ଟ କେବଳ ଜୁଲାଇ ୧୨ ପର୍ଯ୍ୟନ୍ତ ଆଶ୍ୱସ୍ତି ଦେଇଛନ୍ତି ।

ସୂଚନାଯୋଗ୍ୟ ଉଦ୍ଧବ ଠାକ୍‌ରେଙ୍କ ଶିବସେନା ସୁପ୍ରିମ୍‌କୋର୍ଟରେ ୧୬ ବିଦ୍ରୋହୀ ବିଧାୟକଙ୍କ ସଦସ୍ୟତା ରଦ୍ଦ ସହ ସେମାନଙ୍କୁ ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ଥିବା ଭୋଟ୍‌ଦାନରୁ ବଂଚିତ କରିବା ପାଇଁ ଆବେଦନ କରିଛି । ଏ ନେଇ ସୁପ୍ରିମ୍‌କୋର୍ଟ ବିଦ୍ରୋହୀ ବିଧାୟକଙ୍କୁ ଜବାବ ଦାଖଲ ପାଇଁ ଜୁଲାଇ ୧୨ ଯାଏଁ ସମୟ ଦେଇଛନ୍ତି । ସୁପ୍ରିମ୍‌କୋର୍ଟର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୧ରେ ହେବ ଯେଉଁଥିରେ ମହାରାଷ୍ଟ୍ର ପୋଲିସ, ଉପବାଚସ୍ପତି, କେନ୍ଦ୍ର ସରକାର ଓ ଶିବସେନାକୁ ଜବାବ ଦାଖଲ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସବୁଠୁ ରୋଚକ କଥା ହେଉଛି କି ସୁପ୍ରିମ୍‌କୋର୍ଟଙ୍କ ପ୍ରଥମ ଶୁଣାଣିରେ ରାଜ୍ୟପାଳଙ୍କୁ ପକ୍ଷଭୁକ୍ତ କରାଯାଇନଥିଲା । କିନ୍ତୁ ବୁଧବାର ବିଳମ୍ବିତ ରାତିରେ ହୋଇଥିବା ସୁପ୍ରିମ୍‌କୋର୍ଟର ଶୁଣାଣିରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବଙ୍କୁ ନୋଟିସ୍ ଜାରି କରି ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ଗୁରୁବାର ରାଜ୍ୟପାଳ ଏକନାଥ ସିନ୍ଦେଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ ଦେଇଥିଲେ ।

୧୬ ବିଧାୟକଙ୍କ ସଦସ୍ୟତା ରଦ୍ଦ କରିବା ଓ ଉପବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବର ମାମଲା ସୁପ୍ରିମ୍‌କୋର୍ଟରେ ଏବେ ବିଚାରାଧୀନ ଥିବାବେଳେ ଅନ୍ୟ ଏକ ମାମଲାକ୍ରମେ ମହାରାଷ୍ଟ୍ରରେ ବାଚସ୍ପତି ପଦକୁ ନେଇ ବିବାଦ ସୁପ୍ରିମ୍‌କୋର୍ଟରେ ଦୀର୍ଘଦିନ ହେବ ଲମ୍ବିତ ରହିଛି । ଏପରିସ୍ଥଳେ ବାଚସ୍ପତି ନିର୍ବାଚନ କରି ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାରେ ବିଦ୍ରୋହୀ ବିଧାୟକଙ୍କୁ ଭୋଟଦାନର ଅଧିକାର ଦେବା ନିଶ୍ଚିତ ଭାବେ ନ୍ୟାୟିକ ବିବାଦ ସୃଷ୍ଟି କରିବ । ଯଦି କୋର୍ଟର ଚୂଡ଼ାନ୍ତ ରାୟ ବିଦ୍ରୋହୀ ବିଧାୟକଙ୍କ ସପକ୍ଷରେ ନଆସେ ତେବେ ସିନ୍ଦେ ସରକାରଙ୍କ ପତନ ସୁନିଶ୍ଚିତ । କୋର୍ଟଙ୍କ ନିଷ୍ପତ୍ତି ଉପରେ ନଜର ବାଚସ୍ପତି ଓ ନିର୍ବାଚନ ଆୟୋଗଙ୍କୁ ଶିବସେନାର ଉଭୟ ସିନ୍ଦେ ଓ ଉଦ୍ଧବ ପକ୍ଷଙ୍କ ଦାବି ଉପରେ ନିଷ୍ପତ୍ତି ତୁରନ୍ତ ନେବାକୁ ହେବ । ଏହି ଦୁଇ ପକ୍ଷ ଉଭୟ ଜବାବ ଓ କାଉଣ୍ଟର ଜବାବ ଫାଇଲ୍ କରିବେ ।

ଏହାପରେ ସୁପ୍ରିମ୍‌କୋର୍ଟ ତା’ର ନିଷ୍ପତ୍ତି ଶୁଣାଇବ । ଏହି ମାମଲାରେ ମୁଖ୍ୟତଃ ଦୁଇଟି ବଡ଼ ସାମ୍ବିଧାନକ ପଏଣ୍ଟକୁ ଗୁରୁତ୍ୱ ଦିଆଯିବ । ପ୍ରଥମଟି ଶିବସେନାର ଦୁଇତୃତୀୟାଂଶ ବିଦ୍ରୋହୀ ବିଧାୟକ କ’ଣ ଦଳବଦଳ ଆଇନ୍ ଜାଲରୁ ବର୍ତ୍ତିବା ପାଇଁ ବିଜେପି ସହ ବିଲୟ ହେବେ? ଦ୍ୱିତୀୟଟି ବାଚସ୍ପତି ଓ ଉପବାଚସ୍ପତିଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ପାରିତ ହେବା ପରେ କ’ଣ ସେମାନଙ୍କୁ ବିଦ୍ରୋହୀ ବିଧାୟକଙ୍କ ଅଯୋଗ୍ୟତା ଘୋଷଣା କରିବାର ଅଧିକାର ରହିଛି? ଗୁରୁତ୍ୱପୂର୍ଣ୍ଣ କଥା ଏହି କି ବିଦ୍ରୋହୀ ବିଧାୟକଙ୍କ ବଳରେ ସିନ୍ଦେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ସେହିପରି ବିଦ୍ରୋହୀ ବିଧାୟକଙ୍କ ଭୋଟ୍ ବଳରେ ନୂଆ ବାଚସ୍ପତି ନିର୍ବାଚିତ ହେବେ । କିନ୍ତୁ ଯଦି ସୁପ୍ରିମ୍‌କୋର୍ଟର ଚୂଡ଼ାନ୍ତ ନିଷ୍ପତ୍ତି ବିଦ୍ରୋହୀ ବିଧାୟକଙ୍କ ବିପକ୍ଷରେ ଆସେ ତେବେ ଉଭୟ ବାଚସ୍ପତି ଓ ମୁଖ୍ୟମନ୍ତ୍ରୀଙ୍କ ପଦ ଯିବା ସୁନିଶ୍ଚିତ ।