ଏକନାଥ ସିନ୍ଧେଙ୍କୁ ଶିବସେନାରୁ ବିଦା କଲେ ଉଦ୍ଧବ ଠାକରେ

ମୁମ୍ବାଇ (ସଂକେତ ଟିଭି) : ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଶିବସେନା ସଦସ୍ୟ ପଦରୁ ବହିସ୍କାର କରିଛନ୍ତି ଉଦ୍ଧବ ଠାକରେ। ଏନେଇ ଦଳୀୟ ଅଫିସ ପକ୍ଷରୁ ଚିଠି ଜାରି କରି କୁହାଯାଇଛି। ଏଥିରେ କୁହାଯାଇଛି ଯେ ସିନ୍ଦେ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ରହି ସ୍ୱେଚ୍ଛାକୃତ ଭାବେ ଦଳର ସଦସ୍ୟ ପଦରୁ ଓହରିଯାଇଛନ୍ତି। ତେଣୁ ଶିବସେନା ପ୍ରମୁଖ ଭାବରେ ମୋ ପାଖରେ ଥିବା କ୍ଷମତାକୁ ବ୍ୟବହାର କରି ମୁଁ ତାଙ୍କୁ ଶିବସେନା ନେତା ପଦରୁ ସଂସ୍ଥାରୁ ବହିସ୍କାର କରୁଛି ବୋଲି ଲେଖାଯାଇଛି।

ଗତକାଲି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କୁ ଶିବସେନାର ମୁଖ୍ୟମନ୍ତ୍ରୀ ଭାବରେ ଗ୍ରହଣ କରିବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମନା କରି ଦେଇଥିଲେ । ସେ ଟୁଇଟ୍‌ କରି କହିଛନ୍ତି ଯେ ଯଦି ଭାଜପା ପୂର୍ବରୁ ଏହା କରିଥାନ୍ତା , ତେବେ ରାଜ୍ୟରେ ମହା ବିକାଶ ଆଘାଡି ସରକାରର ଆବଶ୍ୟକତା ନଥାନ୍ତା।

ଉଦ୍ଧବ ଠାକରେ କହିଛନ୍ତି, ଗତକାଲି ଯାହା ଘଟିଛି ମୁଁ ଅମିତ ଶାହାଙ୍କୁ ଏହା ବିଷୟରେ କହିସାରିଛି। ଆମେ ଭାଜପା-ଶିବସେନା ମିଳିତ ମେଣ୍ଟରେ ଅଢ଼େଇ ବର୍ଷ ପାଇଁ ଜଣେ ଶିବସେନା ମୁଖ୍ୟମନ୍ତ୍ରୀ ଚାହୁଁଥିଲୁ। ଯଦି ଭାଜପା ଏହା ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇଥାନ୍ତା, ତେବେ ଏଠାରେ ମହା ବିକାଶ ଆଘାଡିର କୌଣସି ଆବଶ୍ୟକତା ନଥାନ୍ତା।

ଏକନାଥ ସିନ୍ଧେଙ୍କ ସରକାର ଗଠନ ନେଇ ଉଦ୍ଧବ ଠାକରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ଏହି ସରକାର କିପରି ଗଠନ ହେଲା ଏବଂ ଏହା କୁହାଯାଉଛି ଯେ ଜଣେ ଶିବସେନା କାର୍ଯ୍ୟକର୍ତ୍ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉଛି। ମୁଁ ଅମିତ ଶାହାଙ୍କୁ ମଧ୍ୟ ସମାନ କଥା କହିଥିଲି। ଏସବୁ ଏକ ସମ୍ମାନଜନକ ଢଙ୍ଗରେ କରାଯାଇ ପାରିଥାନ୍ତା। ସେତେବେଳେ ଶିବସେନା ଆନୁଷ୍ଠାନିକ ଭାବରେ ଆପଣଙ୍କ ସହ ଥିଲା, କିନ୍ତୁ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଶିବସେନାର ମୁଖ୍ୟମନ୍ତ୍ରୀ ନୁହନ୍ତି ବୋଲି ଉଦ୍ଧବ କହିଛନ୍ତି।