CulturalFeaturedLatest

୫୫ ଘଣ୍ଟାରେ ୪୮୦ କିମି ସାଇକଲ ଚଲାଇ ବିଶ୍ୱ ରେକର୍ଡ କଲେ ମହିଳା

ନୂଆଦିଲ୍ଲୀ (ସଂକେତ ଟିଭି) :ପୁନେର ପ୍ରୀତି ମାସ୍କେ ୫୫ ଘଣ୍ଟା ୧୩ ମିନିଟରେ ଲେହରୁ ମନାଲି ୪୮୦ କିମି ସାଇକଲରେ ଅତିକ୍ରମ କରି ବିଶ୍ୱ ରେକର୍ଡ କରିଛନ୍ତି । ଦୁଇଟି ସନ୍ତାନର ଜନନୀ ୪୫ ବର୍ଷୀୟ ପ୍ରୀତି ଏଭଳି ଦୁଃସାହସିକ ପଦକ୍ଷେପ ନେଇ ଗିନିଜ ବୁକ ଅଫ ରେକର୍ଡରେ ତାଙ୍କ ସ୍ଥାନ ପକ୍କା କରିଛନ୍ତି । ପୂର୍ବରୁ ସେ ପ୍ରଥମ ମହିଳା ଭାବେ ୬ ହଜର କିମି ସାଇକଲରେ ଅତିକ୍ରମ କରିଥିଲେ ।

ପ୍ରୀତି କହିଛନ୍ତି ଯେ, ଆଗ୍ରହ ଓ ଇଚ୍ଛା ଶକ୍ତି ଆଗରେ ବୟସ ସବୁବେଳେ ହାରମାନେ । ନିଜର ସୁସ୍ଥତା ପାଇଁ ସେ ୪୦ ବର୍ଷରେ ସାଇକଲ ଚାଳନା ଆରମ୍ଭ କରିଥିଲେ । ନିଶ୍ଚିତ ଭାବେ ଏହା ଅନ୍ୟ ମହିଳାଙ୍କୁ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି । ବର୍ଡର ରୋଡ ଅର୍ଗାନାଇଜେସନ ପକ୍ଷରୁ ମୁଖ୍ୟଯନ୍ତ୍ରୀ ବ୍ରିଗେଡିୟର ଗୌରଭ କାର୍କି ଲେହଠାରେ ଜୁନ ୨୨ ତାରିଖ ସକାଳ ୬ଟାରେ ପତାକା ଦେଖାଇ ତାଙ୍କ ସାଇକଲ ଚାଳନାର ଶୁଭାରମ୍ଭ କରିଥିଲେ । ଜୁନ ୨୪ ଅପରାହ୍ନ ୧.୧୩ ମିନିଟରେ ସେ ମନାଲିରେ ପହଞ୍ଚିଥିଲେ ବୋଲି ବର୍ଡର ରୋଡ ଅର୍ଗାନାଇଜେସନର କମାଣ୍ଡର ସବାରିସ ଭାଚାଲି କହିଛନ୍ତି ।

ବିଶେଷଜ୍ଞମାନେ କହିଛନ୍ତି ଯେ ୮୦୦୦ ମିଟର ଉଚ୍ଚତାରେ ଏହି ମାର୍ଗ ଅତିକ୍ରମ କରିବା ବହୁତ କଠିନ ଥିଲା । ଏହି ଚ୍ୟାଲେଞ୍ଜକୁ ସମ୍ପୂର୍ଣ୍ଣ କରିବା ପାଇଁ ଗିନିଜ ୱାର୍ଲ୍ଡ ରେକର୍ଡ ତାଙ୍କୁ ୬୦ ଘଣ୍ଟାର ସମୟ ଦେଇଥିଲା ବୋଲି ସେମାନେ କହିଛନ୍ତି । ତେବେ ରାସ୍ତାରେ ଶ୍ୱାସ ପ୍ରକ୍ରିୟାରେ ବାଧା ସୃଷ୍ଟି ନହେବା ପାଇଁ ସେ ଦୁଇଥର ଅକ୍ସିଜେନ ନେଇଥିବା ପ୍ରୀତି ପ୍ରକାଶ କରିଛନ୍ତି । ପ୍ରୀତିଙ୍କ ନାମରେ ପୂର୍ବରୁ ଦୀର୍ଘପଥ ସାଇକଲ ଚାଳନାରେ ବହୁ ରେକର୍ଡ ରହିଛି ।