ପାକିସ୍ତାନରେ ଜରୁରୀ ଅବତରଣ କଲା ଦିଲ୍ଲୀରୁ ଦୁବାଇ ଯାଉଥିବା ସ୍ପାଇସଜେଟ

ନୂଆଦିଲ୍ଲୀ (ସଂକେତ ଟିଭି): ଦିଲ୍ଲୀରୁ ଦୁବାଇ ଅଭିମୁଖେ ଉଡାଣ ଭରିଥିବା ସ୍ପାଇସଜେଟ ବିମାନ ପାକିସ୍ତାନର କରାଚୀରେ ଜରୁରୀ ଅବତରଣ କରିଛି । ପାକିସ୍ତାନ ଆକାଶରେ ଉଡୁଥିବାବେଳେ ବିମାନରେ ଯାନ୍ତ୍ରିକ ତ୍ରୁଟି କାରଣକୁ କରାଚୀ ବିମାନବନ୍ଦରରେ ବିମାନକୁ ଜରୁରୀ ଅବତରଣ କରାଯାଇଛି । ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ମଧ୍ୟ ସୂଚନା ମିଳିଛି । ଯାନ୍ତ୍ରିକ ତ୍ରୁଟି ନେଇ ଅଧିକ ସୂଚନା ମିଳିପାରି ନାହିଁ ।

କରାଚୀ ବିମାନ ବନ୍ଦରରେ ଜରୁରିକାଳୀନ ଅବତରଣ ପରେ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ତେବେ ଏହା ଜରୁରୀ ଅବତରଣ ନୁହେଁ ବରଂ ସାଧାରଣ ଭାବେ ଅବତରଣ ବୋଲି ସ୍ପାଇସଜେଟ୍ ପକ୍ଷରୁ ସଫେଇ ଦିଆଯାଇଛି । ଏବେ ଆଉ ଏକ ବିମାନ କରାଚୀ ପଠାଯାଇଛି । ସେଥିରେ ଯାତ୍ରୀଙ୍କୁ ଦୁବାଇ ନିଆଯିବ ବୋଲି କମ୍ପାନୀ କହିଛି ।

ଘଟଣା ବାବଦରେ ଡିଜିସିଏର ବୟାନ ମଧ୍ୟ ସାମ୍ନାକୁ ଆସିଛି । କୁହାଯାଇଛି ଯେ, ଜଣେ କର୍ମଚାରୀ ଫୁଏଲ ଟ୍ୟାଙ୍କରରେ ଇଣ୍ଡିକେଟର ଫୁଏଲର ମାତ୍ରା ଦ୍ରୁତ ଗତିରେ ହ୍ରାସ ପାଉଥିବା ଦେଖିଥିଲେ । ଯାଞ୍ଚ ପରେ କିଛି ତ୍ରୁଟି ନଥିବା ଓ ଲିକେଜ୍ ନଥିବା ବି ଜଣାପଡିଥିଲା । ଏହାସତ୍ତ୍ୱେ ବି ଇଣ୍ଡିକେଟର ଫୁଏଲ କମ୍ ଥିବା ଦେଖାଇଥିଲା ।ତେଣୁ ବିମାନକୁ କରାଚୀରେ ଲ୍ୟାଣ୍ଡି କରିବାକୁ ପଡିଥିଲା ।

ସୂଚନାଯୋଗ୍ୟ, ଚଳିତ ମାସ ୨ ତାରିଖରେ ସ୍ପାଇସଜେଟର ଆଉ ଏକ ବିମାନରେ ସମସ୍ୟା ଦେଖାଦେଇଥିଲା । ଦିଲ୍ଲୀରୁ ଜବଲପୁର ଯାଉଥିବା ବିମାନରୁ ଧୂଆଁ ବାହାରିବା ପରେ ଏହାକୁ ଜରୁରୀ ଅବତରଣ କରିବାକୁ ପଡିଥିଲା ।