ଏନସିପିର ଅଜିତ ପାୱାର ହେଲେ ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ ଦଳ ନେତା

ମୁମ୍ବାଇ (ସଂକେତ ଟିଭି): ଶିବସେନାର ଉଦ୍ଧବ ଠାକରେ ଗୋଷ୍ଠୀ ଏବେ ବିଧାନସଭାରେ ମୁଖ୍ୟ ବିରୋଧୀ ଦଳ ହେବାକୁ ବି ଯୋଗ୍ୟ ହୋଇ ନାହିଁ। ବିଧାନସଭାରେ ମୁଖ୍ୟ ବିରୋଧୀ ଦଳ ହେବା ଲାଗି ଅନୁନ୍ୟ ୧୦ ପ୍ରତିଶତ ବିଧାୟକ ରହିବା କଥା। ରାଜ୍ୟରେ ମେଣ୍ଟ ସରକାର କରିଥିବା ଶିବସେନା ପାଖରେ ଏବେ ଏତିକି ବିଧାୟକ ବି ନାହାନ୍ତି । ଏଣୁ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)କୁ ବିଧାନସଭାରେ ମୁଖ୍ୟ ବିରୋଧୀ ଦଳ ମାନ୍ୟତା ମିଳିଥିବା ବେଳେ ଅଜିତ ପାୱାର ବିରୋଧୀ ଦଳ ନେତା ହୋଇଛନ୍ତି।

ଏନସିପି ବିଧାୟକ ଦଳ ନେତା ଜୟନ୍ତ ପାଟିଲ ବିଧାନସଭାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ବିରୋଧୀ ଦଳ ନେତା ଲାଗି ପ୍ରସ୍ତାବ ରଖିଥିଲେ। ଯାହାକୁ ବିଧାନସଭା ବାଚସ୍ପତି ମଞ୍ଜୁର କରିଛନ୍ତି।

ଏହା ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବିଧାନସଭାର ଦୁଇଦିବସୀୟ ଅଧିବେଶନର ଦ୍ୱିତୀୟ ଦିନ ସୋମବାର ଗୃହରେ ଶକ୍ତି ପରୀକ୍ଷାରେ ବିଜୟୀ ହୋଇଥିଲେ। ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବିଜେପି-ଶିବସେନା ମେଣ୍ଟ ୧୬୪ ଭୋଟ ହାସଲ କରି ଶକ୍ତିପରୀକ୍ଷାରେ ବିଜୟୀ ହୋଇଛନ୍ତି। ଫଳରେ ସରକାର ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇପାରିଛି। ୧୬୪ ବିଧାୟକ ବିଶ୍ୱାସ ପ୍ରସ୍ତାବ ସପକ୍ଷରେ ମତ ଦେଇଥିଲେ। ଏହା ବିରୋଧରେ ମାତ୍ର ୯୯ଟି ଭୋଟ ପଡିଥିଲା।