ପାକିସ୍ତାନ ଷଡ଼ଯନ୍ତ୍ରର ଫିଟିଲା ଗୁମର

ନୂଆଦିଲ୍ଲୀ (ସଂକେତ ଟିଭି): ପେଗାମ୍ବର ମୋହମ୍ମଦଙ୍କୁ ନେଇ ଭାରତରେ ସୃଷ୍ଟି ହୋଇଥିବା ତୁମ୍ବିତୋଫାନ୍ ଓ ଏହାକୁ ନେଇ ବିଦେଶରେ ଭାରତର ଛବି ଖରାପ କରିବା ପଛରେ ପାକିସ୍ତାନର ଭୂମିକା ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି ।

ସୋସିଆଲ ମିଡିଆ ଆନାଲିସିସ୍‌ର ଏକ ରିପୋର୍ଟ ଅନୁଯାୟୀ ବୈଶ୍ୱିକ ସ୍ତରରେ ଭାରତକୁ ବଦ୍‌ନାମ କରିବା ପାଇଁ ପାକିସ୍ତାନ ସୁଚିନ୍ତିତ ଷଡ଼ଯନ୍ତ୍ର ରଚିଥିଲା । ୨୯ ଦେଶରେ ମୁଖ୍ୟତଃ ୪୦ଟି ଭାଷାରେ ଓ ୪୬ହଜାର ପ୍ରୋଫାଇଲ୍ ପ୍ରସ୍ତୁତ କରି ସୋସିଆଲ୍ ମିଡିଆରେ ଭାରତ ବିରୋଧୀ ପୋଷ୍ଟ କରାଯାଇଥିଲା । ଏହି ଷଡ଼ଯନ୍ତ୍ରକୁ ସାକାର କରିବାକୁ ପାକିସ୍ତାନ ନୂଆ ନୂଆ ହ୍ୟାସ୍‌ଟାଗ୍‌ର ସାହାରା ନେଇଥିଲା ।

ସୂଚନାନୁଯାୟୀ# P R O P H E T M U H A M M A D , #BOYCOTTINDIA, #MODI, #ARAB I #ARRESTNUPURSHARMA ଭଳି ହ୍ୟାସଟାଗ୍ ପାକିସ୍ତାନରେ ବହୁଳମାତ୍ରାରେ ଟ୍ରେଣ୍ଡ କରାଯାଇଥିଲା । ଖାଲି ଏତିକି ନୁହେଁ ଏହି ପୋଷ୍ଟଗୁଡ଼ିକୁ ବୈଶ୍ୱିକସ୍ତରରେ କିଭଳି ପ୍ରଚାର ପ୍ରସାର କରାଯାଇପାରିବ ସେଥିପାଇଁ ଭିପିଏନ୍‌ର ବ୍ୟବହାର କରାଯାଇଥିଲା ।

ଭିପିଏନ୍ ଅର୍ଥାତ ଭର୍ଚୁଆଲ ପ୍ରାଇଭେଟ୍ ନେଟ୍‌ୱର୍କ ସହାୟତାରେ ପାକିସ୍ତାନର ଲୋକେ ଫେକ୍ ଲୋକେସନ୍‌ରୁ ୧ଲକ୍ଷରୁ ଅଧିକ ଭାରତ ବିରୋଧୀ ପୋଷ୍ଟ ସୋସିଆଲ୍ ମିଡିଆରେ ପ୍ରଚାର ପ୍ରସାର କରିଥିଲେ । ପାକିସ୍ତାନ ସୋସିଆଲ ମିଡିଆରେ ଭାରତ ବିରୋଧୀ ହ୍ୟାସଟାଗ୍‌କୁ ଟ୍ରେଣ୍ଡ କରିବା ପାଇଁ ଏକ ଟ୍ୱିଟ୍ ଆର୍ମି ରହିଛି । ଏହି ଟ୍ୱିଟ୍ ଆର୍ମି ହଜାର ହଜାର ସଂଖ୍ୟାରେ ହ୍ୟାସଟାଗ ଟ୍ୱିଟ୍ କରିବା ଯୋଗୁଁ ମାତ୍ର କିଛି ସମୟ ମଧ୍ୟରେ ସାରା ବିଶ୍ୱରେ ସୋସିଆଲ୍ ମିଡିଆରେ ସେଗୁଡ଼ିକ ଟ୍ରେଣ୍ଡ କରିଥାଏ । ଗଲ୍‌ଫ ଦେଶ ସହ ଭାରତର ସଂପର୍କ ଖରାପ କରିବା ପାଇଁ ପାକିସ୍ତାନ ଷଡ଼ଯନ୍ତ୍ର କରି ନୁପୁର ଶର୍ମା ସମ୍ପର୍କିତ ହ୍ୟାସଟାଗ୍ ଟ୍ରେଣ୍ଡ କରିଥିଲା ।

ରିପୋର୍ଟ ମୁତାବକ#STOPINSULTING_PROPHETMUHAMMAD I #BOYCOTTINDIANPRODUCTS କୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସାରା ବିଶ୍ୱରେ ଟ୍ରେଣ୍ଡ କରିବା ପାଇଁ ସେହିସବୁ ଟ୍ୱିଟର ହ୍ୟାଣ୍ଡେଲର ସହାୟତା ନେଇଥିଲା ଯେଉଁମାନଙ୍କର ଲକ୍ଷାଧିକ ଫଲୋଅର୍ସ ରହିଛନ୍ତି । ନୁପୁର ଶର୍ମାଙ୍କ ଜରିଆରେ ମୋଦୀ ସରକାରଙ୍କୁ ଟାର୍ଗେଟ୍ କରି ବିଶ୍ୱକୁ ଏହା ଜଣାଇବାକୁ ପାକିସ୍ତାନ ଚେଷ୍ଟା କରିଥିଲା କି ମୁସଲମାନମାନେ ଭାରତରେ ସଂପୂର୍ଣ୍ଣ ଭାବେ ଅସୁରକ୍ଷିତ ରହିଛନ୍ତି । କିନ୍ତୁ ପାକିସ୍ତାନର ଏହି ଷଡ଼ଯନ୍ତ୍ର ଏବେ ସାରା ବିଶ୍ୱ ଜାଣିବା ପରେ ଭାରତର ନୁହେଁ ବରଂ ପାକିସ୍ତାନ ଅଧିକ ବଦ୍‌ନାମ ହେଉଛି ।