ନୂପୁର ଶର୍ମାଙ୍କୁ ତୁରନ୍ତ ଗିରଫ କର: ମମତା ବାନାର୍ଜୀ

କୋଲକାତା (ସଂକେତ ଟିଭି): ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ସୋମବାର ନୂପୁର ଶର୍ମାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ଏଭଳି ଦାବି ସହ ସେ ପ୍ରଶ୍ନ କରିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ନୂପୁର ଶର୍ମାଙ୍କୁ ଦିଲ୍ଲୀ ପୁଲିସ କାହିଁକି ଗିରଫ କରିନାହିଁ ।

ତାଙ୍କ କହିବା ମୁତାବକ, ପ୍ରଫେଟ ମହମ୍ମଦଙ୍କୁ ନେଇ ଦିଆଯାଇଥିବା ମନ୍ତବ୍ୟ ସହ ଜଡିତ ବିବାଦ ହେଉଛି ବିଜେପି କରିଥିବା ଷଡଯନ୍ତ୍ରର ଫଳାଫଳ। ଏଭଳି କରି ସେ ଦେଶର ଲୋକଙ୍କୁ ଭାଗ ଭାଗ କରିବାକୁ ଚାହୁଁଛନ୍ତି । ନୂପୁର ଶର୍ମାଙ୍କ ଗିରଫଦାରୀ ଦାବି କରି ମମତା ବାନାର୍ଜୀ କହିଛନ୍ତି ଯେ ‘ଆପଣ ନିଆଁ ସହିତ ଖେଳି ପାରିବେ ନାହିଁ’।

ଇଣ୍ଡିଆ ଟୁଡେର କନକ୍ଲେଭ ଇଷ୍ଟରେ ଯୋଗ ଦେଇ ମମତା ବାନାର୍ଜୀ କହିଛନ୍ତି ଯେ ଆମେ ବିଭାଜନ ରାଜନୀତିରେ ବିଶ୍ୱାସ କରୁନାହୁଁ । ଆମେ ହିନ୍ଦୁ, ମୁସଲମାନ, ଶିଖ, ଖ୍ରୀଷ୍ଟିଆନ, ଜୈନ ଏବଂ ବୌଦ୍ଧ ସମସ୍ତ ଲୋକଙ୍କ ପାଇଁ ଅଛୁ । ତେବେ ଦିଦିଙ୍କ ଏଭଳି ଦାବି ପୂର୍ବରୁ ଗତକାଲି ନିଲମ୍ବିତ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି କରିଥିଲା କୋଲକାତା ପୁଲିସ ।

ଏହାପୂର୍ବରୁ ତାଙ୍କୁ ଏମହର୍ଷ୍ଟ ଏବଂ ନାର୍କେଲଡଙ୍ଗା ପୁଲିସ ଷ୍ଟେସନରେ ହାଜର ହେବାକୁ କୁହାଯାଇଥିଲା । ହେଲେ ହାଜର ପାଇଁ ନୋଟିସ ପାଇ ବି ନୂପୁର ପୁଲିସ ଷ୍ଟେସନରେ ହାଜର ହୋଇନଥିଲେ । କୋଲକାତାର ପ୍ରାୟ ୧୦ଟି ପୁଲିସ ଷ୍ଟେସନରେ ତାଙ୍କ ବିରୋଧରେ ଏତଲା ରୁଜୁ ହୋଇଥିବା ବେଳେ ନୂପୁର ହାଜର ହେବା ପାଇଁ ସଫାସଫା ମନା କରିଥିଲେ । ଏହି କାରଣରୁ ଏବେ ପୁଲିସ ତାଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି କରିଛି ।