ଟିଏମସି ସାଂସଦଙ୍କ କାଳୀଙ୍କ ଉପରେ ବିବାଦୀୟ ବୟାନ, ଭୋପାଳରେ ମାମଲା ରୁଜୁ

କୋଲକାତା (ସଂକେତ ଟିଭି): ଦେବୀ କାଳୀଙ୍କ ସିଗାରେଟ୍ ଟାଣୁଥିବା ଫିଲ୍ମ ପୋଷ୍ଟର ସମ୍ପର୍କରେ ଟିଏମସି ସାଂସଦ ମହୁଆ ମଇତ୍ର ବୟାନ ଦେଇ ବିବାଦରେ ଫସି ଯାଇଛନ୍ତି । ଏକ ମିଡିଆ ଇଭେଣ୍ଟରେ ଏହା ଉପରେ ସାଂସଦ ମହୁଆ ମଇତ୍ର ପ୍ରତିକ୍ରିୟା ଦେଇଥିଲେ ଯେ, ” ନିଜ ନିଜର ଦେବୀଙ୍କୁ କଳ୍ପନା କରିବାର ସ୍ବାଧୀନତା ଅଛି । ମୋ କାଳୀ ପାଇଁ ମଦ ମାଂସ ଖାଉଥିବା ଦେବୀ ଅଟନ୍ତି । ଭୁଟାନ, ସିକିମ୍ ଭଳି କିଛି ସ୍ଥାନରେ ଦେବୀଙ୍କୁ ହ୍ବିସ୍କି ପ୍ରସାଦ ରୂପେ ଅର୍ପଣ କରାଯାଏ । କିନ୍ତୁ ଯଦି ଉତ୍ତରପ୍ରଦେଶ ଭଳି ସ୍ଥାନରେ ଏହାକୁ ନିନ୍ଦା କରାଯାଇପାରେ ।”

ପରେ ସେ ଏହି ଘଟଣାରେ ସଫେଇ ଦେଇଛନ୍ତି । ସିନେ ନିର୍ମାତା ଲୀନା ମାନିମେକଲାଇ ହିନ୍ଦୁ ଧର୍ମାବଲମ୍ବୀମାନଙ୍କ ଦେବୀ କାଳୀଙ୍କ ହାତରେ ସିଗାରେଟ୍ ଥିବାର ଏକ ପୋଷ୍ଟର ରିଲିଜ୍ କରିବା ପରେ ଏହାକୁ ନେଇ ବିବାଦ ଉପୁଜିଥିଲା । ଗତ ୨ ତାରିଖରେ ନିର୍ମାତା ପୋଷ୍ଟରଟିକୁ ରିଲିଜ୍ କରିବା ପରେ ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ସିନେ ନିର୍ମାତା ଲୀନା ମାନିମେକଲାଇଙ୍କୁ ଗିରଫ କରିବାକୁ ଦାବି କରିଥିଲେ ।

ନିର୍ମାତା ହିନ୍ଦୁ ଧର୍ମାବଲମ୍ବୀମାନଙ୍କ ଦେବୀ କାଳୀଙ୍କ ହାତରେ ସିଗାରେଟ୍ ଥିବାର ଏକ ପୋଷ୍ଟ୍ର ରିଲିଜ୍ କରିବା ପରେ ଏହା ହିନ୍ଦୁ ଧର୍ମୀମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି ବୋଲି ଅଭିଯୋଗ ଆଣି ଦିଲ୍ଲୀ ଏବଂ ୟୁପିରେ ଲୀନା ମାନିମେକଲାଇଙ୍କ ବିରୋଧରେ ମାମଲା ବି ରୁଜୁ ହୋଇଛି ।

ତେବେ ମହୁଆଙ୍କ ବିବାଦୀୟ ବୟାନ ପରେ ରାଜ୍ୟ ବିଜେପି ତାଙ୍କୁ ବିରୋଧ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ତୃଣମୂଳ କଂଗ୍ରେସ ମଧ୍ୟ ଏହାକୁ ତୀବ୍ର ନିନ୍ଦା କରିଥିଲା ।ମହୁଆ ମଇତ୍ରଙ୍କ ବିବାଦୀୟ ବୟାନକୁ ନେଇ ଆଜି ତାଙ୍କ ବିରୁଦ୍ଧରେ ଭୋପାଳରେ ମାମଲା ରୁଜୁ ହୋଇଛି । ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ନେଇ ଆଇପିସିର ଧାରା ୨୯୫Aରେ ମାମଲା ରୁଜୁ କରାଯାଇଛି । ଅନ୍ୟପଟେ ଏହି ବିବାଦ ମଧ୍ୟରେ ଆଜି ସାଂସଦ ନିଜ ପାର୍ଟି ଟିଏମସିର ଅଫିସିଆଲ ଟ୍ବିଟର ହ୍ୟାଣ୍ଡଲକୁ ଅନଫଲୋ କରିଛନ୍ତି ।