ବିବାହ କରିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍

ଚଣ୍ଡିଗଡ଼ (ସଂକେତ ଟିଭି): ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବେ। ଆସନ୍ତାକାଲି ଚଣ୍ଡିଗଡ଼ରେ ଏହି ବିବାହ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଡା. ଗୁରୁପ୍ରୀତ କୌରଙ୍କୁ ବିବାହ କରିବେ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଭଗୱନ୍ତ ମାନ ୨୦୧୫ରେ ନିଜର ପ୍ରଥମ ପତ୍ନୀ ଇନ୍ଦରପ୍ରୀତ କୌରଙ୍କୁ ଛାଡପତ୍ର ହୋଇଥିଲେ। ତାଙ୍କର ପ୍ରଥମ ପତ୍ନୀ ଇନ୍ଦରପ୍ରୀତ କୌର ଏବଂ ତାଙ୍କର ପୁଅ-ଝିଅ ଆମେରିକାରେ ରୁହନ୍ତି। ୨୦୧୫ମସିହାରେ, ଉଭୟଙ୍କ ଛାଡପତ୍ର ପରେ ଇନ୍ଦରପ୍ରୀତ ପିଲାମାନଙ୍କ ସହ ଆମେରିକା ଚାଲିଯାଇଥିଲେ।

ଛାଡ଼ପତ୍ର ପରେ ଭଗୱନ୍ତ ମାନ କହିଥିଲେ ଯେ ରାଜନୀତି ହେତୁ ସେ ପରିବାରକୁ ସମୟ ଦେବାରେ ଅସମର୍ଥ ଥିଲେ। ତେଣୁ ତାଙ୍କ ପତ୍ନୀ ତାଙ୍କଠାରୁ ନିଜକୁ ଦୂରେଇ ଦେଇଥିଲେ। ୨୦୧୫ରେ ଛାଡପତ୍ର ପରେ ମାନ୍ ସୋସିଆଲ ମିଡିଆରେ ଏକ ପୋଷ୍ଟ ମଧ୍ୟ ଲେଖିଥିଲେ। ଏଥିରେ ସେ କହିଥିଲେ ଯେ ସେ ନିଜ ପରିବାରକୁ ପଛ କରି ପଞ୍ଜାବକୁ ବାଛିଛନ୍ତି। ରାଜନୀତି ପାଇଁ ସେ ତାଙ୍କ ପତ୍ନୀଙ୍କଠାରୁ ଅଲଗା ହେଉଛନ୍ତି।

ତେବେ ମାର୍ଚ୍ଚରେ ବିଧାନସଭା ନିର୍ବାଚନ ପରେ ଯେତେବେଳେ ଆମ୍ ଆଦମୀ ପାର୍ଟି ପଞ୍ଜାବରେ ସରକାର ଗଠନ କରିଥିଲା, ସେତେବେଳେ ମାନଙ୍କ ପୁଅ-ଝିଅ ଶପଥ ଗ୍ରହଣ ସମାରୋହକୁ ଆସିଥିବା ଦେଖାଯାଇଥିଲା।

ତେବେ ଭଗୱନ୍ତ ମାନଙ୍କ ମା ହରପାଲଙ୍କର ଇଚ୍ଛା ଥିଲା ଯେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ପୁଣି ଥରେ ବିବାହ କରନ୍ତୁ। ମା ଏବଂ ଭଉଣୀ ମନପ୍ରୀତ କୌର ନିଜେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ପାଇଁ ଝିଅକୁ ଖୋଜିଥିଲେ।