ଭାରତରେ ପାକ୍‌ କାରବାରକୁ ବନ୍ଦ କଲା ଟ୍ୱିଟର

ନୂଆଦିଲ୍ଲୀ (ସଂକେତ ଟିଭି): ଟ୍ୱିଟର ପକ୍ଷରୁ ଭାରତ ପାଇଁ ଉଦ୍ଦିଷ୍ଟ ପାକିସ୍ତାନ ସରକାରଙ୍କ ଟ୍ୱିଟର ହାଣ୍ଡଲକୁ ବନ୍ଦ କରିଦିଆଯାଇଛି । ଏହା ପୂର୍ବରୁ ଟ୍ୱିଟର ପକ୍ଷରୁ ପାକିସ୍ତାନର ସରକାରୀ ରେଡିଓ ରେଡିଓ- ପାକିସ୍ତାନର ଟ୍ୱିଟର ହାଣ୍ଡଲକୁ ବନ୍ଦ କରିଦେଇଥିଲା । ସେହିପରି ଗତ ଜୁନ ମାସରେ ଇରାନ, ତୁର୍କୀ, ଇଜିପଫରେ ଥିବା ପାକିସ୍ତାନୀ ଦୂତାବାସ ଓ ଜାତିସଂଘ ପାଇଁ ଥିବା ପାକିସ୍ତାନ ମିସନର ସରକାରୀ ଟ୍ୱିଟର ହାଣ୍ଡଲକୁ ବନ୍ଦ କରିଦିଆଯାଇଥିଲା ।

ଟ୍ୱିଟରର ଏପରି ପଦକ୍ଷେପକୁ ବିରୋଧ କରିଛି ପାକିସ୍ତାନ । ତେବେ ଏଥିପାଇଁ ବିଜେପି ସରକାରଙ୍କୁ ଦୋଷ ଦେଇଛନ୍ତି ପାକିସ୍ତାନ ସରକାର । ଭାରତରେ ସମସ୍ତଙ୍କ ସ୍ୱରକୁ ଚାପି ଦିଆଯାଉଛି ଓ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ହୋଇଯାଇଛି । ସୋସିଆଲ ମିଡିଆଗୁଡ଼ିକ ଅନ୍ତର୍ଜାତୀୟ ନିୟମ ପାଳନ କରିବା ଉଚିତ ବୋଲି ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ଏ ସଂପର୍କରେ ଏକ ବୟାନ ଜାରି କରି ଟ୍ୱିଟର ପକ୍ଷରୁ କୁହାଯାଇଛି ଯେ ଯେଉଁ ଦେଶରେ ପାକିସ୍ତାନ ସରକାରଙ୍କ କଣ୍ଟେଣ୍ଟ ଦେଖାଇବା ବେଆଇନ ସେହି ଅଂଚଳ ପାଇଁ ହିଁ ଏହି ନିଲମ୍ବନ ଲାଗୁ ହେବ । ଅନ୍ୟପକ୍ଷରେ ବିଭିନ୍ନ କଣ୍ଟେଣ୍ଟ ହଟାଇବାକୁ ନେଇ ଭାରତ ସରକାର ଦେଇଥିବା ନିର୍ଦ୍ଦେଶ ବିରୋଧରେ ଟ୍ୱିଟର କୋର୍ଟଙ୍କ ଆଶ୍ରୟ ନେବାକୁ ଘୋଷଣା କରିଛି । ତେବେ ସରକାରଙ୍କ ନିର୍ଦ୍ଦେଶକୁ ଠିକ ବୋଲି ଦର୍ଶାଇଛନ୍ତି ଟେଲିକମ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।