ଅନ୍ୟ ଦେଶର ଟି-୨୦ ଲିଗରେ ଖେଳିବାକୁ ଭାରତୀୟ ଖେଳାଳୀଙ୍କୁ ସୁଯୋଗ ଦେଉନି ବିସିସିଆଇ

କଲମ୍ବୋ (ସଂକେତ ଟିଭି): ଶ୍ରୀଲଙ୍କାର ୧୯୯୬ ଦିନିକିଆ ବିଶ୍ୱକପ ବିଜୟୀ ଦଳର ହିରୋ ବ୍ୟାଟର ଅରବିନ୍ଦ ଡି ସିଲଭା କହିଛନ୍ତି ଯେ ବିସିସିଆଇ ଦ୍ୱାରା ଆୟୋଜିତ ହୋଇ ଆସୁଥିବା ଆଇପିଏଲ ଓ ଅନ୍ୟ ଦେଶରେ ଅନୁଷ୍ଠିତ ଟି-୨୦ ଲିଗ ଦ୍ୱାରା କ୍ରିକେଟର ମାନେ ବିଶେଷ ଲାଭବାନ ହୋଇ ପାରିଛନ୍ତି । କାରଣ ସେମାନଙ୍କର ଦକ୍ଷତା ପ୍ରତିପାଦନ ପାଇଁ ଟି-୨୦ ଲିଗ ବଡ ପ୍ଳାଟଫର୍ମ ଭାବେ ସହାୟତା ପ୍ରଦାନ କରି ଆସୁଛି ।

ଗତ ୨୦୦୮ରୁ ଅନୁଷ୍ଠିତ ହୋଇ ଆସୁଥିବା ଆଇପିଏଲରେ ସମସ୍ତ ଦେଶର ପ୍ରମୁଖ ଖେଳାଳିଙ୍କ ଉପସ୍ଥିତି କ୍ରିକେଟରଙ୍କ ପାଇଁ ଏକ ଭିନ୍ନ ମାହୋଲ ସୃଷ୍ଟି କରି ପାରୁଛି । କାରଣ ସମସ୍ତ ପ୍ରତିଷ୍ଠିତ ଖେଳାଳିଙ୍କ ସହିତ ପରସ୍ପର ଖେଳିବା ମଉକା ପାଉଥିବା ବେଳେ ପାରିଶ୍ରମିକ ଆକାରରେ ମଧ୍ୟ ଖେଳାଳି ମାନେ ବିପୁଳ ଅର୍ଥ ରୋଜଗାର କରି ପାରୁଛନ୍ତି । ମାତ୍ର ପରିତାପର ବିଷୟ ହେଲା ଯେ ଆଇପିଏଲ ବ୍ୟତିତ ଅନ୍ୟ ଦେଶରେ ଅନୁଷ୍ଠିତ ହୋଇ ଆସୁଥିବା ଟି-୨୦ ଲିଗରେ ଭାରତୀୟ ଖେଳାଳିଙ୍କୁ ଅଂଶ ଗ୍ରହଣ ସୁଯୋଗ ଦେଉନି ବିସିସିଆଇ ।

ଭାରତୀୟ ଖେଳାଳି ମାନେ ଅନ୍ୟ ଦେଶରେ ଆୟୋଜିତ ଟି-୨୦ ଲିଗରେ ଭାଗ ନେଲେ ସେହି ଦେଶର କ୍ରିକେଟ ନିଶ୍ଚିତ ଅଧିକ ଉପକୃତ ହୋଇ ପାରିବ । ତେଣୁ ଛୋଟ ଛୋଟ ଦେଶର କ୍ରିକେଟ ଉନ୍ନତି ପାଇଁ ବିସିସିଆଇ ନଜର ସେବା ଉଚିତ । କାରଣ ଭାରତୀୟ ଖେଳାଳିଙ୍କ ଯୋଗଦାନ ରହିଲେ ଅନ୍ୟ ଦେଶ କ୍ରିକେଟର ଉନ୍ନତି ଉପରେ ନିଶ୍ଚିତ ଭଲ ପ୍ରଭାବ ପଡିବ । ନଚେତ କ୍ରିକେଟର ଅବନ୍ନତି ହେବା ଆଶଙ୍କା ରହିଛି । କାରଣ ପ୍ରୋତ୍ସହନ ଅଭାବରୁ କେତେକ ଦେଶର କ୍ରିକେଟ ସ୍ଥିତି ଦୋହଲି ଗଲାଣି । ତେଣୁ ବିସିସିଆଇ ଛୋଟ ଦେଶଙ୍କର ଉନ୍ନତି ପାଇଁ ଉଦ୍ୟମ କରିବା ସହିତ ବିଦେଶୀ ଲିଗରେ ଭାଗ ନେବା ପାଇଁ ଭାରତୀୟ ଖେଳାଳିଙ୍କୁ ସୁଯୋଗ ଦେଲେ ଭଲ ହେବ ବୋଲି ଡି ସିଳଭା କହିଛନ୍ତି ।