ଅଲମ୍ପିକ୍‌ ଖେଳରେ କାହିଁକି ପଦକ କାମୁଡନ୍ତି ଖେଳାଳି

ନୂଆଦିଲ୍ଲୀ (ସଂକେତ ଟିଭି): ଅଲମ୍ପିକ୍‌ ଖେଳରେ ସବୁ ଖେଳାଳିଙ୍କ ସ୍ୱପ୍ନ ରହିଥାଏ ସ୍ୱର୍ଣ୍ଣ ପଦକ ଜିତିବା । ଏଥିପାଇଁ ସେମାନେ ବହୁ ବର୍ଷ ଧରି କଠିନ ପରିଶ୍ରମ ମଧ୍ୟ କରିଥାନ୍ତି । ତେବେ ଖେଳରେ ଜିତିବା ପରେ ସବୁ ଖେଳାଳି ନିଜ ପଦକକୁ ଦାନ୍ତରେ କାମୁଡିବାର ଆପଣ ଦେଖିଥିବେ ନିଶ୍ଚୟ । ଗୋଲ୍ଡ ମେଡାଲ୍‌ ଜିତୁଥିବା ଖେଳାଳି ଏପରି ବେଶୀ କରିଥାନ୍ତି । ଏହି ପରମ୍ପରା ପଛରେ କ’ଣ କାରଣ ରହିଛି ଆସନ୍ତୁ ଜାଣିବା ।

ସୋସାଇଟି ଅଫ୍‌ ଅଲମ୍ପିକ୍‌ ହିଷ୍ଟୋରିଆନ୍ସର ସଭାପତି ଡେଭିଡ୍‌ ଭୋଲେନଚିନ୍ସକୀଙ୍କ କହିବା ଅନୁଯାୟୀ ଫଟୋଗ୍ରାଫର ଖେଳାଳିଙ୍କୁ ଏପରି କରିବାକୁ କହିଥାନ୍ତି । ଏକ ରିପୋର୍ଟ ଅନୁଯାୟୀ ବହୁ ବର୍ଷରୁ ଏହି ପ୍ରଥା ଚଳି ଆସୁଛି । ଏପରି ଫଟୋ ସମ୍ବାଦପତ୍ର ଓ ମାଗାଜିନ୍‌ରେ ସ୍ୱତନ୍ତ୍ର ଲାଗିଥାଏ ଯାହାକୁ ଲୋକମାନେ ଖୁବ୍‌ ପସନ୍ଦ କରିଥାନ୍ତି । ଯଦିଓ ଫଟୋଗ୍ରାଫରଙ୍କ କହିବା ଅନୁଯାୟୀ ବିଜୟୀ ଖେଳାଳି ନିଜ ପଦକକୁ ପାଟିରେ କାମୁଡିଥାଏ ତଥାପି ଏହି ପ୍ରଥା କେବେ ଠାରୁ ଚଳି ଆସୁଛି ସେ ବିଷୟରେ କୌଣସି ସୂଚନା କାହା ପାଖରେ ନାହିଁ ।

ମିଳିଥିବା ଏକ ରିପୋର୍ଟ ଅନୁଯାୟୀ ୧୮୦୦ ମସିହାରେ କାଲିଫର୍ଣ୍ଣିଆରେ ବିଜୟୀ ଖେଳାଳି ଗୋଲ୍ଡ ମେଡାଲ୍‌ ପାଟିରେ କାମୁଡିବାର ପ୍ରଥମେ ନଜର ଆସିଥିଲା । ଏହା ଅସଲି କି ନକଲି ତାହା ଜାଣିବା ଲାଗି ସେତେବେଳେ ଖେଳାଳି ଏହାକୁ ଦାନ୍ତରେ କାମୁଡୁଥିଲେ । ତେବେ ୧୯୧୨ ମସିହା ପର୍ଯ୍ୟନ୍ତ ବିଶୁଦ୍ଧ ସୁନାରେ ତିଆରି ଗୋଲ୍ଡ ମେଡାଲ ଦିଆଯାଉଥିଲା ଯାହା ପରବର୍ତ୍ତୀ ସମୟରେ ବନ୍ଦ ହୋଇଗଲା ।

ତେବେ ଲେଖକ ଡେଭିଡ୍‌ ଭୋଲେନଚିନ୍ସକୀ ନିଜ ପୁସ୍ତକରେ ଲେଖିଛନ୍ତି, କେବଳ ଅଲମ୍ପିକ୍‌ ଖେଳାଳି ନୁହନ୍ତି ସମସ୍ତ ପ୍ରତିଯୋଗିତାରେ ସାମିଲ ହେଉଥିବା ଖେଳାଳି ପଦକ ଜିତିବା ପରେ ଏପରି କରିଥାନ୍ତି । ସେ ଲେଖିଛନ୍ତି ପୂର୍ବରୁ ଲୋକମାନେ କୌଣସି ଜିନିଷକୁ ପରଖିବା ପାଇଁ ଏପରି କରୁଥିଲେ । ଅନ୍ୟପକ୍ଷରେ ସେମାନେ ପଦକ ଜିତିଛନ୍ତି ବୋଲି ଦେଖାଇବା ଲାଗି ଏପରି ତରିକା ଆପଣାଇଥାନ୍ତି ବୋଲି ମଧ୍ୟ କୁହାଯାଇପାରେ ।