ଆସାମର ମୁଖ୍ୟମନ୍ତ୍ରୀ ଜବାବ ରଖନ୍ତୁ, କାମାକ୍ଷା ମନ୍ଦିରରେ କି ଭୋଗ ଲାଗେ : ମହୁଆ ମୈତ୍ର

କୋଲକାତା (ସଂକେତ ଟିଭି): କାଳୀଙ୍କ ବିଷୟରେ ବିବୃତି ଦେଇ ରାଜନୈତିକ ବିବାଦ ଆରମ୍ଭ କରିଥିବା ‘ତୃଣମୂଳ କଂଗ୍ରେସ’ର ଲୋକସଭା ସାଂସଦ ମହୁଆ ମୈତ୍ର ଆଜି ପୁଣି ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ସେ ଆସାମର ମୁଖ୍ୟମନ୍ତ୍ରୀଙ୍କୁ ପଚାରିଛନ୍ତି ଯେ କାମାକ୍ଷା ମନ୍ଦିରର ଅଧିଷ୍ଠାତ୍ରୀ ଦେବୀଙ୍କୁ କି ଭୋଗ ଲାଗି କରାଯାଏ । ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଲିଖିତ ଆକାରରେ ବୁଝାଇ ଦେଇ ପାରିବେ କି।

ମହୁଆ କହିଛନ୍ତି ଯେ, ନିଜ ନିଜ ରାଜ୍ୟରେ ଥିବା ମା କାଳୀଙ୍କ ମନ୍ଦିରରେ କ’ଣ ସବୁ ଭୋଗ ଲାଗି କରାଯାଏ ଅନ୍ୟ ‘ବିଜେପି’ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ଲେଖି ଜଣାଇ ପାରିବେ କି? ମଦ କ’ଣ କାଳୀ ମନ୍ଦିରରେ ଲାଗି ହେଉଥିବା ‌ନୈବେଦ୍ୟର ଗୋଟିଏ ସାମଗ୍ରୀ ନୁହେଁ? ସେମାନଙ୍କର କୁକାର୍ଯ୍ୟ ବିରୋଧରେ ପ୍ରବଳ ପ୍ରତିବାଦ କରିବାରୁ ‘ବିଜେପି’ ମତେ ଦବାଇ ଦେବାକୁ ଚାହୁଁଛି। କିନ୍ତୁ, ମୁଁ ଜାଣେ, ମୋ ବିରୋଧରେ ସେମାନଙ୍କର ରଣକୌଶଳ ସଫଳ ହେବନାହିଁ।

ମୋ ବିରୋଧରେ ‘ଏଫ୍‌ଆଇର୍‌’ ପଞ୍ଜିକୃତ ହୋଇଥିବା ବିଜେପି ଶାସିତ ରାଜ୍ୟ ସରକାରମାନଙ୍କୁ ମୁଁ ଆହ୍ବାନ ଦେଉଛି, ଦେବୀ କାଳୀଙ୍କୁ ଅର୍ପଣ କରାଯାଉଥିବା ନୈବେଦ୍ୟ ସମ୍ପର୍କରେ ସେମାନେ ଅଦାଲତରେ ସତ୍ୟପାଠ ଦାଖଲ କରନ୍ତୁ ବୋଲି ମହୁଆ କହିଛନ୍ତି।

ମହୁଆ ଆହୁରି ମଧ୍ୟ କହିଛନ୍ତି ଯେ, ଏ ସଂକ୍ରାନ୍ତରେ ସେ ଜଣେ ଅଭିଜ୍ଞା ରାଜନେତ୍ରୀ ଭଳି କାମ ମନ୍ତବ୍ୟ ଦେଇଛନ୍ତି। ‘ବିଜେପି’ ହିନ୍ଦୁ ଦେବାଦେବୀଙ୍କର ତତ୍ତ୍ବାବଧାରକ ନୁହନ୍ତି କି, ଦେବୀ କାଳୀଙ୍କୁ କେମିତି ପୂଜା କରାଯାଏ ସେମାନେ ବଙ୍ଗାଳୀମାନଙ୍କୁ ଶିଖାଇବା ଅନୁଚିତ। ଭଗବାନ ରାମ କି, ହନୁମାନ କେବଳ ‘ବିଜେପି’ ଲୋକମାନଙ୍କର ନୁହନ୍ତି। ‘ବିଜେପି’ ହିନ୍ଦୁ ଧର୍ମର ଠିକା ନେଇଛି କି ବୋଲି ମହୁଆ ପଚାରିଛନ୍ତି।