ବିଜେଡିର ସମର୍ଥନ ମାଗିଲେ ଦ୍ରୌପଦୀ, ନବୀନ ନିବାସରେ କଲେ ମଧ୍ୟାହ୍ନ ଭୋଜନ

ଭୁବନେଶ୍ବର (ସଂକେତ ଟିଭି): ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବିଜେଡିର ସମର୍ଥନ ଲୋଡିବାକୁ ସେ ଓଡ଼ିଶା ଆସି ଫେରି ଯାଇଛନ୍ତି । ଦ୍ରୌପଦୀ ନୂଆଦିଲ୍ଲୀରୁ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ । ଏହା ପରେ ସେ ଅତିଥି ଭବନ ଯାଇଥିଲେ ଓ ସେଠାରୁ ବିଧାନସଭା ଆସିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଭବ୍ୟ ସ୍ୱାଗତ କରି ସମ୍ମିଳନୀ କକ୍ଷକୁ ପାଛୋଟି ନେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଧାନସଭାର ସମ୍ମିଳନୀ କକ୍ଷରେ ବିଜେଡି ସାଂସଦ ଓ ବିଧାୟକଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲେ । ଏହି ବୈଠକରେ ଦ୍ରୌପଦୀ ସମସ୍ତ ବିଧାୟକଙ୍କ ସମର୍ଥନ ଲୋଡିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କର ସମର୍ଥନ ମାଗିଛନ୍ତି । ଏହି ଅବସରରେ ସେ ନବୀନଙ୍କୁ ଭାଇ ସମ୍ବୋଧନ କରି ଦ୍ରୌପଦୀ ଭାବପ୍ରବଣ ହୋଇ କହିଛନ୍ତି, ମୁଁ ସୁଭଦ୍ରା ଭାବରେ ନବୀନ ଭାଇଙ୍କୁ ଜଗନ୍ନାଥ କରି ରାଖି ବାନ୍ଧିଛି। ଭଉଣୀ କିଛି ମାଗିବା ପୂର୍ବରୁ ଭାଇ ମୋ ମନଚାହିଁ ତାଙ୍କ ସମର୍ଥନ ଓ ସହଯୋଗର ହାତ ମୋତେ ଦେଇଛନ୍ତି। ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ବିଦେଶରେ ଥାଇ ବି ନବୀନ ଭାଇ ମୋତେ ଫୋନ୍ କରିଥିଲେ।

ବିଦେଶରୁ ଥାଇ ନବୀନ ମୋ ସହ ଫୋନରେ କଥା ହୋଇଥିଲେ। ଆହୁରି ମଧ୍ୟ କହିଥିଲେ ଯେ, ମୁଁ ମନ୍ତ୍ରୀ ଥିଲି ବହୁ କାମ କରିଛି । ଆଗକୁ ଆହୁରି କାମ ବାକି ଅଛି । ମୁଁ ଗାଁର ଝିଅ, ଆପଣଙ୍କ ସହଯୋଗ ଦରକାର । ଆମ ଗାଁର ଅବସ୍ଥା ସୁଧୁରିବ । ରାଷ୍ଟ୍ରପତି ହେଲେ ଓଡିଶା ସୁନ୍ଦର ଭାବେ ଆଗକୁ ବଢିବ । ସେହିପରି ଦ୍ରୌପଦୀଙ୍କୁ ଭୋଟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ସମସ୍ତଙ୍କୁ ଅପିଲ କରିଛନ୍ତି ।

ଦ୍ରୌପଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ନବୀନ ନିବାସକୁ ଯାଇ ସ୍ୱାଦିଷ୍ଟ ଓଡିଆ ଭୋଜନ କରିଛନ୍ତି ଦ୍ରୌପଦୀ । ସେଠାରେ ସେ ନବୀନଙ୍କ ସହ କିଛି ସମୟ ଏକାନ୍ତରେ ଆଲୋଚନା କରିଛନ୍ତି । ନବୀନ ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରିଥିଲେ । ମଧ୍ୟାହ୍ନ ଭୋଜନରେ ଦ୍ରୌପଦୀଙ୍କୁ ନିରାମିଷ ଓଡିଆ ଭୋଜନ ପରଷା ଯାଇଥିଲା। ଦ୍ରୌପଦୀ ଦୀର୍ଘ ବର୍ଷ ପୂର୍ବରୁ ବ୍ରହ୍ମକୁମାରୀ ଦୀକ୍ଷା ଗ୍ରହଣ କରିଛନ୍ତି, ତେଣୁ ଏହାକୁ ଦୃଷ୍ଟିରେ ରଖି ନବୀନ ଦ୍ରୌପଦୀଙ୍କ ଲାଗି ନିରାମିଷ ବ୍ୟଞ୍ଜନ ପରସିଥିଲେ । ଏଥିରେ ଭାତ, ଡାଲି, ଖେଚୁଡି, ବାଇଗଣ ଭଜା, ପୋଟଳ କଷା ରହିଥିଲା । ଦ୍ରୌପଦୀଙ୍କର ଡାଇବେଟିସ ଥିବାରୁ ତାଙ୍କୁ ମିଠା କିମ୍ବା ଆଇସକ୍ରିମ ପରସା ଯାଇନଥିଲା । ଏହା ସହ ଆଉ କିଛି ସ୍ବାଦିଷ୍ଟ ଓଡିଆ ଖାଦ୍ୟ ରହିଛି ।

ଦ୍ରୌପଦୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଓ ବିଜେଡି ସାଂସଦ ପିନାକୀ ମିଶ୍ରଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରାଯାଇଥିଲା ।ଦ୍ରୌପଦୀ ଦିନିକିଆ ଓଡିଶା ଗସ୍ତ ଶେଷ କରି ନବୀନ ନିବାସରୁ ସିଧା ଦିଲ୍ଲୀ ଯାଇଛନ୍ତି । ତାଙ୍କୁ ବିମାନବନ୍ଦରରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୁଜାରୀ ବିଦାୟୀ ସମ୍ବର୍ଦ୍ଧନା ଦେଇଥିଲେ ।